Site icon ଆଜିକାଲି

ପ୍ରଧାନମନ୍ତ୍ରୀଙ୍କ ମା’ ହୀରବେନ୍‌ଙ୍କ ବିୟୋଗ: ଶୋକ ପ୍ରକାଶ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମଦାବାଦ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍‌। ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଅହମଦାବାଦର ୟୁଏନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗ ନେଇ ଆଜି ସକାଳେ ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି ।

ମା’ଙ୍କ ବିୟୋଗ ନେଇ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଲେଖିଛନ୍ତି “ ଏକ ଉତ୍ତମ ଶତାବ୍ଦୀର ଜୀବନ ଆଜି ଈଶ୍ୱର ଚରଣରେ ବିଶ୍ରାମ ନେଲା। ମାଆ ମୁଁ ସବୁବେଳେ ସେହି ତ୍ରିମୂର୍ତ୍ତୀକୁ ଅନୁଭବ କରିଛି। ଯେଉଁଥିରେ ଏକ ତପସ୍ୱୀର ଯାତ୍ରା, ନିଷ୍କାମ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି।”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଭାରତୀୟ ଆଦର୍ଶର ପ୍ରତୀକ। ଶ୍ରୀ ମୋଦୀ ମାତ୍ରୃଦେବଭବ ଭାବନା ଓ ହୀରାବଙ୍କ ମୂଲ୍ୟବୋଧକୁ ଜୀବନରେ ଉପଯୋଗ କରିଛନ୍ତି। ପୁଣ୍ୟା ଆତ୍ମାଙ୍କ ଶାନ୍ତିପାଇଁ ମୁଁ ପ୍ରାର୍ଥନା କରୁଛି। ପରିବାର ପ୍ରତି ମୋର ସମବେଦନା ଜ୍ଞାପନ କରୁଛି।”

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂଜ୍ୟ ମାତା ହୀରା ବା’ଙ୍କ ସ୍ବର୍ଗବାସ ଖବର ଅତ୍ୟନ୍ତ ଦୁଃଖଦାୟକ। ମା’ ହେଉଛନ୍ତି ଏଭଳି ଏକ ବ୍ୟକ୍ତିତ୍ବ ଯିଏ ଜୀବନର ପ୍ରଥମ ମିତ୍ର ଓ ଗୁରୁ ଅଟନ୍ତି। ନିଃସନ୍ଦେହ, ତାଙ୍କୁ ହରାଇବା ଦୁଃଖ ସଂସାରର ସବୁଠୁ ବଡ଼ ଦୁଃଖ ଅଟେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକବ୍ୟକ୍ତ କରି ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତାଶ୍ରୀ ହୀରା ବା’ଙ୍କ ମୃତ୍ୟୁ ମତେ ଖୁବ୍‌ ଦୁଃଖ ଦେଇଛି। ମାଆଙ୍କ ମୃତ୍ୟୁ ଜୀବନରେ ଏଭଳି ଶୂନ୍ୟତା ଆଣେ ଯାହାକୁ ପୂରଣ କରିବା ଅସମ୍ଭବ ଅଟେ। ଏଭଳି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି!

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ମାଆ ଭଳି କେହି ନାହିଁ। ହୀରାବାଙ୍କ ଭଳି ତପସ୍ୱ କର୍ମଯୋଗୀ ମାଆଙ୍କୁ ମୋର ପ୍ରଣାମ। ମହାପ୍ରଭୁ ଜଗନ୍ନାଥ ପରିବାର ଏ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ବ୍ୟାତୀତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Exit mobile version