Site icon ଆଜିକାଲି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି, ଆଜି ହୋଇପାରେ ଘୋଷଣା; ସିଦ୍ଧରମୈୟାଙ୍କୁ ୯୦ ବିଧାୟକଙ୍କ ସମର୍ଥନ!

ନୂଆଦିଲ୍ଲୀ:କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଜାରି ରହିଛି। ରାଜ୍ୟରେ କଂଗ୍ରେସର ଜବରଦସ୍ତ ବିଜୟ ପରେ ନବ ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ଛାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ଦଳର ଦୁଇ ପ୍ରମୁଖ ନେତା ସିଦ୍ଧରମୈୟା ଏବଂ ଡିକେ ଶିବକୁମାର । ତେବେ ସିଦ୍ଧରମୈୟାଙ୍କ ପଲା ଭାରି ରହିଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଦୁଇଦିନ ଧରି ବିଚାର ବିମର୍ଶ ଜାରି ରହିଥିଲେ ମଧ୍ୟ ଦଳ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିପାରି ନାହିଁ। କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି । ରାଜ୍ୟସଭା ସାଂସଦ ତଥା କର୍ଣ୍ଣାଟକ କଂଗ୍ରେସ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ଏହି ସୂଚନା ଦେଇଛନ୍ତି ।

ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ମାରାଥନ ବୈଠକ ଚାଲିଛି। ମୁଖ୍ୟମନ୍ତ୍ରୀ ଚୟନ ମାମଲାରେ ବିଧାୟକ ମାନଙ୍କ ସିକ୍ରେଟ୍ ବାଲଟ୍ (ଗୁପ୍ତ ଭୋଟିଂ) ଉପରେ ଗତକାଲି ତିନି ପର୍ଯ୍ୟବେକ୍ଷକଙ୍କ ସହ ଖଡ଼ଗେ ଆଲୋଚନା କରିଥିଲେ । ଏହାଛଡ଼ା ସୁରଜେୱାଲା ଏବଂ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲଙ୍କ ସହ ମଧ୍ୟ ବୈଠକ କରିଥିଲେ ଖଡ଼ଗେ। ଏହି ସମୟରେ ଡିକେ ଶିବକୁମାରଙ୍କ ଭାଇ ତଥା ଲୋକସଭା ସାଂସଦ ଡିକେ ସୁରେଶ ମଧ୍ୟ ଦଳର ସଭାପତି ଖଡ଼ଗେଙ୍କୁ ଭଟିଥିଲେ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟଚମଟ ମଧ୍ୟରେ ଡିକେ ଶିବକୁମାର ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ପେଟ ସଂକ୍ରମଣ ଦର୍ଶାଇ ଗତକାଲି ଦିଲ୍ଲୀ ଯାଇ ନଥିଲେ ଶିବକୁମାର । ତେବେ ସିଦ୍ଧରମୈୟା ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ସେ ଆଜି ତାଙ୍କ ସମର୍ଥକ ଏମ.ବି ପାଟିଲ, ଆର.ଭି ଦେଶପାଣ୍ଡେ, ଜାମିର ଅହମ୍ମଦ, କେଜେ ଡର୍ଜ, ଅଶୋକ ପଟ୍ଟନ ଏବଂ ବୈରଥୀ ସୁରେଶ ମଧ୍ୟ ତାଙ୍କ ସମର୍ଥନରେ ଦିଲ୍ଲୀ ଯିବେ। ସିଦ୍ଧରମୈୟା ଦାବି କରିଛନ୍ତି ଯେ ଅଧିକାଂଶ ବିଧାୟକ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି ।

ଅନ୍ୟପକ୍ଷରେ ଶିବକୁମାର ମଧ୍ୟ ତାଙ୍କୁ ଅଣଦେଖା କରିବା ଠିକ୍ ହେବନି ବୋଲି ଦଳୀୟ ହାଇକମାଣ୍ଡଙ୍କୁ ପରୋକ୍ଷରେ ଜଣାଇ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ତାଙ୍କରି ପରିଶ୍ରମ ଯୋଗୁଁ କର୍ଣ୍ଣାଟକରେ ଦଳ ଏତେ ସଂଖ୍ୟକ ଆସନ ଜିତିପାରିଲା । ସେ ଆହୁରି କହିଛନ୍ତି, ସେ ଏକ କଠିଣ ସମୟରେ କର୍ଣ୍ଣାଟକ କଂଗ୍ରେସର ନେତୃତ୍ବ ସମ୍ଭାଳିଥିଲେ ଏବଂ ସୋନିଆ ଗାନ୍ଧୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ କହିଥିଲେ, “ଅନ୍ୟମାନଙ୍କ ସଂଖ୍ୟା ବିଷୟରେ କହିବାକୁ ମୋର ଶକ୍ତି ନାହିଁ, ମୋର ବଳ ହେଉଛି ୧୩୫ | ମୁଁ ଦଳର ସଭାପତି ଏବଂ ମୋର ନେତୃତ୍ବରେ ଦଳ ଡବଲ ଇ ଇଞ୍ଜିନ ସରକାର ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନ ବିରୋଧରେ ଲଢି କର୍ଣ୍ଣାଟକରେ ୧୩୫ଟି ଆସନ ଜିତିଛି। ”

ଅନ୍ୟପକ୍ଷରେ ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୧୩୫ ବିଧାୟକଙ୍କ ମଧ୍ୟରୁ ୯୦ ଜଣ ସିଦ୍ଧରମୈୟାଙ୍କ ସପକ୍ଷରେ ଅଛନ୍ତି। ସିଦ୍ଧରମୈୟାଙ୍କ ଚାପରେ ତିନିଜଣ ପର୍ଯ୍ୟବେକ୍ଷକ ବ୍ୟକ୍ତିଗତ ଭାବେ ବିଧାୟକଙ୍କ ମତାମତ ନେଇଥିଲେ। ବିଧାୟକମାନଙ୍କୁ ସେମାନଙ୍କ ପସନ୍ଦର ଗୋଟିଏ ନାମ ଲେଖିବାକୁ କୁହାଯାଇଥିଲା, କିମ୍ବା ସେମାନଙ୍କ ପସନ୍ଦର କ୍ରମରେ ଏକରୁ ଅଧିକ ନାମ ଦେବାକୁ କୁହାଯାଇଥିଲା ନତୁବା କେବଳ ହାଇ କମାଣ୍ଡଙ୍କୁ ନିଷ୍ପତ୍ତି ନେବାକୁ ବିକଳ୍ପ ମଧ୍ୟ ଦିଆଯାଇଥିଲା। ଏଥିରେ ଅଧିକାଂଶ ବିଧାୟକ ସିଦ୍ଧରମୈୟଙ୍କୁ ସମର୍ଥନ କରିଥିଲେ ବୋଲି ପାର୍ଟି ସୂତ୍ରରୁ ପ୍ରକାଶ । କିନ୍ତୁ ଶିବକୁମାର କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜ ମତାମତ ଦେବାକୁ କୁଣ୍ଠାବୋଧ କରିଥିଲେ ଏବଂ ଏହି ନିଷ୍ପତ୍ତି ହାଇକମାଣ୍ଡ ଉପରେ ଛାଡିଥିଲେ।

Exit mobile version