Site icon ଆଜିକାଲି

ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ରୋହିତଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୋ ଅଧିନାୟକ ପଦ ପ୍ରତି ବର୍ତ୍ତମାନ କୌଣସି ବିପଦ ନାହିଁ । ତେବେ ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ନିଶ୍ଚୟ ଉଠିଛି । ଅଧିନାୟକ ପଦ ବଜାୟ ରଖିବାକୁ ହେଲେ ଏହି ଷ୍ଟାଇଲିଶ ବ୍ୟାଟ୍ସମ୍ୟାନଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ବ୍ୟାଟ୍ସମ୍ୟାନ ଭାବେ ରୋହିତ ଏହି ଗସ୍ତରେ ବିଫଳ ହୁଅନ୍ତି ତେବେ ସେ ଅଧିନାୟକ ପଦରୁ ବିଦା ହୋଇପାରନ୍ତି ‌।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଦଳର ନେତୃତ୍ୱ ନେବେ । ଏହାପରେ ସେ ଏହି ଫର୍ମାଟରେ ତାଙ୍କ ଭବିଷ୍ୟତ ନେଇ ବିସିସିଆଇ ସହ ଆଲୋଚନା କରିପାରନ୍ତି । ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ଯେ ଯଦି ରୋହିତ ନିଜେ ୱେଷ୍ଟଇଣ୍ଡିଜ ଗସ୍ତରୁ ନ ଓହରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଜୁଲାଇ ୧୨ରୁ ଆରମ୍ଭ ହେଉଥିବା ଏହି ସିରିଜରେ ସେ ଦଳର ଅଧିନାୟକ ରହିବେ । ହେଲେ ସେ ଯଦି ଏହି ସିରିଜରେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୁଅନ୍ତି, ତେବେ ରୋହିତଙ୍କ ଉପରେ କଠୋର ନିଷ୍ପତ୍ତି ନେବାକୁ ବିସିସିଆଇ ଚୟନ କମିଟି ଉପରେ ଚାପ ବଢିବ ।

ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ତୃତୀୟ ସଂସ୍କରଣ ପାଇଁ ଭାରତର ଅଭିଯାନ ଆରମ୍ଭ ହେବ । ଡବ୍ଲୁଟିସିର ତୃତୀୟ ସଂସ୍କରଣ ୨୦୨୫ରେ ଶେଷ ହେବ । ସେତେବେଳକୁ ରୋହିତଙ୍କୁ ୩୮ ବର୍ଷ ବୟସ ହୋଇସାରିଥିବ । ଅଧିନାୟକ ପଦରୁ ତାଙ୍କୁ ଏବେ ହଟାଯିବାର କୌଣସି ସମ୍ଭାବନା ନାହିଁ । ହେଲେ ସେ ଆଗାମୀ ଦୁଇ ବର୍ଷ କାଳ ଅଧିନାୟକ ରହିବେ କି ନାହିଁ ତାହା ବଡ଼ ପ୍ରଶ୍ନ । ଏହାଛଡ଼ା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ପରେ ତାଙ୍କ ଫର୍ମ ଆଧାରରେ ଚୟନକର୍ତ୍ତା ତାଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣେ ବିସିସିଆଇ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ୱେଷ୍ଟଇଣ୍ଡିଜ ଗସ୍ତ ପରେ ଡିସେମ୍ବର ପର୍ଯ୍ୟନ୍ତ ଭାରତ ଆଉ ଟେଷ୍ଟ ସିରିଜ୍ ଖେଳିବା କାର୍ଯ୍ୟକ୍ରମ ନାହିଁ । ତେଣୁ ରୋହିତଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ଚୟନକର୍ତ୍ତାଙ୍କ ପାଖରେ ଯଥେଷ୍ଟ ସମୟ ଅଛି । ଡିସେମ୍ବର ବେଳକୁ ପଞ୍ଚମ ଚୟନକର୍ତ୍ତା ମଧ୍ୟ ନିଯୁକ୍ତ ହୋଇସାରିଥିବେ । ତା’ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଗତବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ସିରିଜ୍ ପରାଜୟ ପରେ ବିରାଟ କୋହଲି ଯେତେବେଳେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଥିଲେ, ରୋହିତ ପ୍ରଥମେ ଏହି ଫର୍ମାଟରେ କ୍ୟାପଟେନ ହେବାକୁ ଆଗ୍ରହୀ ନଥିଲେ । କାରଣ ସେ ସନ୍ଦିହାନ ଥିଲେ ଯେ ତାଙ୍କ ବୟସ ଦୃଷ୍ଟିରୁ ସେ ଏହି ଫର୍ମାଟରେ ଅଧିନାୟକ ଭାବେ ସଫଳ ହୋଇପାରିବେ କି ନାହିଁ । ହେଲେ ତତ୍କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲ ଓ ସମ୍ପାଦକ ଜୟ ଶାହା ତାଙ୍କୁ ବୁଝାଇବା ପରେ ସେ ଟେଷ୍ଟ ଦଳର ନେତୃତ୍ୱ ନେବାକୁ ରାଜି ହୋଇଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ତାଙ୍କର ୧୨୦ ରନର ପାଳିକୁ ଛାଡ଼ି ଦେଲେ ରୋହିତ ଜଣେ ବ୍ୟାଟ୍ସମ୍ୟାନ ଭାବେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି । ୨୦୨୨ରେ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ୧୦ଟି ଟେଷ୍ଟ ଖେଳିଛି । ଏଥିମଧ୍ୟରୁ ସେ ତିନିଟି ଟେଷ୍ଟରେ ଖେଳିନଥିଲେ । ଏହି ସମୟ ମଧ୍ୟରେ ସେ ୭ଟି ଟେଷ୍ଟରୁ ୩୫.୪୫ ଆଭରେଜ୍ ସହ ମାତ୍ର ୩୯୦ ରନ୍ କରିଛନ୍ତି । ସେ ମାତ୍ର ଗୋଟିଏ ଶତକ ହାସଲ କରିଥିବା ବେଳେ ଥରେ ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିନାହାଁନ୍ତି । ଅନ୍ୟପକ୍ଷରେ ବିରାଟ କୋହଲି ଏହି ସମୟ ମଧ୍ୟରେ ୧୦ଟି ଟେଷ୍ଟରେ ଗୋଟିଏ ଶତକ ସହ ୫୧୭ ରନ୍ କରିଛନ୍ତି ।

ଏହି ସମୟ ମଧ୍ୟରେ ଆଉ ଜଣେ ଭେଟେରାନ ବ୍ୟାଟର ଚେତେଶ୍ୱର ପୂଜାରା ୮ଟି ଟେଷ୍ଟ ଖେଳିଥିବା ବେଳେ ୪୮୨ ରନ୍ କରିଛନ୍ତି । ଏହି ୮ ଟେଷ୍ଟ ସେ ଦୁଇଟି ବଡ଼ ଇନିଂସ୍ (୯୦ ଓ ୧୦୨) ଖେଳିଥିଲେ । କିନ୍ତୁ ତାଙ୍କର ଏହି ଦୁଇଟି ବଡ଼ ଇନିଂସ୍ ବାଂଲାଦେଶ ଭଳି ଦୁର୍ବଳ ବୋଲିଂ ଆକ୍ରମଣ ବିପକ୍ଷରେ ଆସିଥିଲା ।

ଭାରତୀୟ ଟେଷ୍ଟ ଦଳର ଏହି ତିନି ବରିଷ୍ଠ ବ୍ୟାଟର କ୍ୟାରିୟରର ଅପରାହ୍ନରେ ପହଞ୍ଚି ସାରିଥିବା ଚୟନକର୍ତ୍ତାମାନେ ଜାଣିଛନ୍ତି । ଏହି ତିନି ବ୍ୟାଟର ବର୍ତ୍ତମାନ ୩୫ ଟପିଲେଣି । ତେଣୁ ସେମାନେ ଆଉ ବେଶି ଦିନ ଭାରତୀୟ ଟେଷ୍ଟ ଦଳର ଟପ୍ ଅର୍ଡର ସମ୍ଭାଳିବା ସ୍ଥିତିରେ ନାହାଁନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାଙ୍କୁ ଏବେ କିଛି କଡ଼ା ନିଷ୍ପତ୍ତି ନେବାକୁ ପଡ଼ିବ ।

Exit mobile version