Site icon ଆଜିକାଲି

୭ ବର୍ଷ ପୁରୁଣା ମାମଲାରେ ଦୁଇ ଆପ୍ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଅରିବିନ୍ଦ୍ର କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିର ସଙ୍କଟ କମ୍ ହେବାର ନାମ ନେଉନାହିଁ । ଦିଲ୍ଲୀରେ ମଦ ନୀତିରେ ଗଡ଼ବଡ଼ି, ଡିଟିସି ବସ୍ ଟେଣ୍ଡର ଦୁର୍ନୀତିରେ ସିବିଆଇ ତଦନ୍ତ ଆଦେଶ ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନ ଆମ ଆମଦୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୋଧହୁଏ ଆମ୍ ଆଦମୀ ପାର୍ଟି ପାଇଁ ଦିଲ୍ଲୀରେ ସବୁକିଛି ଠିକ୍ ଚାଲୁ ନାହିଁ । ୭ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ କୋର୍ଟ ଦୁଇ ଜଣ ଆପ୍ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଦୁଇ ଆପ୍ ବିଧାୟକଙ୍କ ଉପରେ ଦଙ୍ଗା ଓ ପୋଲିସ୍ ଷ୍ଟେସନରେ ଗଣ୍ଡଗୋଳ ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆପ୍ ବିଧାୟକ ଅଖିଳେଶପତି ତ୍ରିପାଠୀ, ସଞ୍ଜୀବ ଝାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେପ୍ଟେମ୍ବର ୨୧ରେ ବିଧାୟକଙ୍କ ଦଣ୍ଡ ଘୋଷଣା କରାଯିବ । ୭ ବର୍ଷ ପୂର୍ବେ ବୁରାଡ଼ି ପୋଲିସ ଷ୍ଟେସନରେ କ’ଣ ଘଟିଥିଲା ଆସନ୍ତୁ ଜାଣିବା …

୨୦୧୫ରେ ବୁରାଡ଼ି ଅଞ୍ଚଳରେ ଦୁଇ ପିଲାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକ ଏ ସମ୍ପର୍କରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଲୋକଙ୍କ ଅଭିଯୋଗ ଥିଲା ଯେ, ଦୁଷ୍କର୍ମ ଅଭିଯୁକ୍ତକୁ ବଞ୍ଚାଇବାକୁ ପୋଲିସ ଉଦ୍ୟମ କରୁଛି । ଲୋକମାନେ କହିଥିଲେ ଯେ, ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁନାହିଁ । ଲୋକମାନେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଆମ୍ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ପୋଲିସ ଷ୍ଟେସନରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପୋଲିସ୍ ତାଙ୍କ ଉପରକୁ ବନ୍ଧୁକ ଲଗାଇବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୋଲିସ ବିଧାୟକ ସଞ୍ଜୀବ ଝାଙ୍କୁ କହିଥିଲେ ଯେ ପୋଲିସ ଷ୍ଟେସନରୁ ବାହାରକୁ ଯାଆନ୍ତୁ ନଚେତ୍ ସେ ରାଇଫଲରୁ ହିଁ ବିଧାୟକ କରିଦେବ ।

ଆପ୍ ବିଧାୟକଙ୍କ ସହ ଅସଦାଚରଣ ଖବର ଉକ୍ତ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଶହ ଶହ ଆପ୍ କାର୍ଯ୍ୟକର୍ତ୍ତା ପୋଲିସ ଷ୍ଟେସନ ବାହାରେ ଏକାଠି ହୋଇଥିଲେ । ଭିଡ଼କୁ ଅଲଗା କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ବୁରାଡ଼ୀ ପୋଲିସ ଷ୍ଟେସନରେ ଆପ୍ କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଲାଠି ଚାର୍ଜରେ ଅନେକ ଆପ୍ କର୍ମକର୍ତ୍ତା ଆହତ ହୋଇଥିଲେ । ଲୋକମାନେ କହିଛନ୍ତି ଯେ ଲୋକମାନେ ପଥର ଫିଙ୍ଗିଥିଲେ । ଏହା ପରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲେ । ଏହି ସଂଘର୍ଷରେ ୯ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ବ୍ୟତୀତ ୪-୫ ପୋଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ସେତେବେଳେ ୭ ଜଣଙ୍କୁ ଗିରଫ କରିଥିଲା ।

ଏହି ପୂରା ମାମଲାରେ ବୁରାଡ଼ୀ ବିଧାୟକ ସଞ୍ଜୀବ ଝାଙ୍କ ସହିତ ମଡେଲ ଟାଉନ ବିଧାୟକ ଅଖିଳେଶପତି ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । ଭିଡ଼କୁ ଉସୁକାଇବା, ଦଙ୍ଗା କରାଇବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ କର୍ମଚାରୀଙ୍କୁ ଆଘାତ କରିବା ଅଭିଯୋଗରେ ପୋଲିସ ଉଭୟ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେତେବେଲେ ବିଏସ ବସ୍ସି ଦିଲ୍ଲୀ ପୋଲିସ କମିଶନର ଥିଲେ । ଏହା ପରେ ବସ୍ସି କହିଥିଲେ ଯେ, ଆବଶ୍ୟକ ହେଲେ ବିଧାୟକମାନଙ୍କୁ ମଧ୍ୟ ଗିରଫ କରାଯିବ । ୭ ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି ବେଳେ ଶେଷରେ କୋର୍ଟ ଉଭୟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Exit mobile version