Site icon ଆଜିକାଲି

ଅଦାଲତ ଅବମାନନା ମାମଲା: ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫ ମସିହାରେ ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଅଗ୍ନିହୋତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା।

ଗୁରୁବାର ଏହି ମାମଲାର ଶୁଣାଣି ବେଳେ ବଲିଉଡ୍ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ହାଜର ହୋଇଥିଲେ।

ଅଗ୍ନିହୋତ୍ରୀ କହିଥିଲେ ଯେ ସେ ଜ୍ବରରେ ପୀଡ଼ିତ ଥିବାରୁ କୋର୍ଟରେ ହାଜର ହୋଇପାରିଲେ ନାହିଁ | କୋର୍ଟ କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ସେ କେବେ ହାଜର ହୋଇପାରିବେ ପଚାରିଥିଲେ ।

ଜଷ୍ଟିସ ସିଦ୍ଧାର୍ଥ ମୃଦୁଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଖଣ୍ଡପୀଠର ଅନ୍ୟ ବିଚାରପତି ଜଣକ ହେଉଛନ୍ତି ଜଷ୍ଟିସ ତଲୱନ୍ତ ସିଂ। ବିବେକ ଅଗ୍ନିହୋତ୍ରୀଙ୍କୁ ବର୍ତ୍ତମାନ ଏପ୍ରିଲ ୧୦ରେ କୋର୍ଟରେ ହାଜର ହେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ମୁରଲୀଧରଙ୍କ ଉପରେ ମନ୍ତବ୍ୟ ନେଇ ଦିଲ୍ଲୀ ହାଇକୋର୍ଟ ନିଜ ଆଡୁ ବିବେକ ଅଗ୍ନିହୋତ୍ରୀଙ୍କ ସମେତ କିଛି ଲୋକଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲା ରୁଜୁ କରିଥିଲେ ।

ଅଗ୍ନିହୋତ୍ରୀଙ୍କୁ ଗୁରୁବାର କୋର୍ଟରେ ହାଜର ହେବାକୁ କୋର୍ଟ କହିଥିଲେ। କିନ୍ତୁ ସେ ଜ୍ବରରେ ପୀଡ଼ିତ ଥିବା ଦର୍ଶାଇ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହାଜର ହୋଇଥିଲେ । ଅଗ୍ନିହୋତ୍ରୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ | କିନ୍ତୁ କୋର୍ଟ ତାଙ୍କୁ କହିଥିଲେ ଯେ ସେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ରହି ନିଜ ଦୋଷ ସ୍ବୀକାର କରନ୍ତୁ ।

୨୦୧୮ରେ ଜଷ୍ଟିସ ମୁରଲୀଧର ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ ମୁରଲିଧରନ ଏହି ନିଷ୍ପତ୍ତି ବିରୋଧରେ ଟ୍ୱିଟ୍ କରି ଅଗ୍ନିହୋତ୍ରୀ କଟୁ ମନ୍ତବ୍ୟ ଦେଇଥିଲେ ।

ଜଷ୍ଟିସ ମୁରଲୀଧର ସେତେବେଳେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ। ସେ ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।

ଅକ୍ଟୋବର ୨୦୧୮ରେ ଜଷ୍ଟିସ ମୁରଲୀଧରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଭୀମା-କୋରେଗାଓଁ ହିଂସା ମାମଲାରେ ଗୌତମ ନବଲାଖାଙ୍କୁ ଗୃହବନ୍ଦୀ କରିବା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ ଆବେଦନକୁ ଖାରଜ କରି ଦେଇଥିଲା। ଅଗ୍ନିହୋତ୍ରୀ ଟ୍ବିଟ୍ କରି ଏହି ନିଷ୍ପତ୍ତିକୁ ପକ୍ଷପାତପୂର୍ଣ୍ଣ ବୋଲି କହିଥିଲେ ।

Exit mobile version