Site icon ଆଜିକାଲି

ଅଗ୍ନିପଥ ଯୋଜନା ବିରୋଧରେ ସବୁ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ ଖାରଜ କକେ ଦିଲ୍ଲୀ ହାଇକୋର୍ଟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗ୍ନିପଥ ଯୋଜନାକୁ ବୈଧ ବୋଲି କହିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦଙ୍କ ଏକ ଖଣ୍ଡପୀଠ ଅଗ୍ନିପଥ ମାମଲା ଶୁଣାଣି କରିଥିଲେ। ଗତ ବର୍ଷ ଡିସେମ୍ବର ୧୫ରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ।

ଅଗ୍ନିପଥ ଯୋଜନା ବିରୋଧରେ ଆବେଦନ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ ଏହି ଯୋଜନାରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। “ଅଗ୍ନିପଥ ଯୋଜନା ଜାତୀୟ ସ୍ୱାର୍ଥରେ ଏବଂ ସଶସ୍ତ୍ର ବାହିନୀକୁ ଅଧିକ ଉନ୍ନତ ଢଙ୍ଗରେ ସୁସଜ୍ଜିତ କରିବା ଲକ୍ଷ୍ୟରେ କରାଯାଇଛି । ପ୍ରତିରକ୍ଷା ସେବାରେ ପୁରୁଣା ନିୟମ ଅନୁଯାୟୀ ପୁନଃ ନିଯୁକ୍ତି ଏବଂ ନାମାଙ୍କନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି ।

ସଶସ୍ତ୍ର ବାହିନୀରେ ଯୁବକଙ୍କୁ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଥିଲା। ତେବେ ଏହି ଯୋଜନାକୁ ବିରୋଧ କରି ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ବିଶେଷକରି ଉତ୍ତର ଭାରତରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହି ଯୋଜନା ରଦ୍ଦ କରିବାକୁ ଦାବି କରି କୋର୍ଟରେ ଏକାଧିକ ଆବେଦନ ଦାଖଲ କରାଯାଇଥିଲା । ଅଗ୍ନିପଥ ଯୋଜନାର ନିୟମ ଅନୁଯାୟୀ, ୧୭.୫ ବର୍ଷରୁ ୨୧ ବର୍ଷ ବୟସର ଯୁବକ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀ କେବଳ ଚାରି ବର୍ଷ ପାଇଁ ନିଯୁକ୍ତ ହେବେ । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ପ୍ରାର୍ଥୀଙ୍କୁ ସ୍ଥାୟୀ କରାଯିବ ।

Exit mobile version