ନୂଆଦିଲ୍ଲୀ : ସେନା ବିରୋଧୀ ଟ୍ବିଟ୍ ପଡିଲା ମହଙ୍ଗା । ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ପୂର୍ବତନ ଉପ-ସଭାପତି ଶେହଲା ରସିଦଙ୍କ ବିରୋଧରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି।
ଶେହଲା ରସିଦ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ତିକ୍ତତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେନା ବିରୋଧରେ ଟ୍ୱିଟ୍ କରିଥିବା ଅଭିଯୋଗ ହୋଇଛି । ଓକିଲ ଅଲଜଖ ଆଲୋକ ଶ୍ରୀବାସ୍ତବଙ୍କ ଅଭିଯୋଗ କ୍ରମେ ୨୦୧୯ରେ ଶେହଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।
୧୮ ଅଗଷ୍ଟ ୨୦୧୯ରେ ଶେହଲା ରସିଦ୍ ଦୁଇଟି ଟୁଇଟ୍ କରିଥିଲେ । ଏଥିରେ ସେ କହିଥିଲେ ଯେ ଭାରତୀୟ ସେନା ରାତିରେ ଲୋକଙ୍କ ଘରେ ଜବରଦସ୍ତ ପଶି ପୁଅମାନଙ୍କୁ ଉଠାଇ ନେଉଛନ୍ତି, ଭଙ୍ଗାରୁଜା କରୁଛନ୍ତି ଏବଂ ଜାଣିଶୁଣି ରାସନ ତଳେ ଫିଙ୍ଗୁଛନ୍ତି, ଚାଉଳରେ ତେଲ ମିଶାଇ ଦେଉଛନ୍ତି । ଏହାଛଡ଼ା ସେ ଦାବି କରିଥିଲେ ଯେ ଶୋପିଆନର ଏକ ସେନା ଶିବିରକୁ ଡକାଇ ଚାରି ଜଣଙ୍କୁ ପଚରାଉଚରା କରାଯାଇଥିଲା। ସେମାନଙ୍କ ଚାରିପାଖରେ ମାଇକ୍ ରଖାଯାଇଥିଲା ଯାହା ଦ୍ଵାରା ସମଗ୍ର ଅଞ୍ଚଳ ସେମାନଙ୍କ ଚିତ୍କାର ଶୁଣିପାରିବ ଏବଂ ଆତଙ୍କ ବଢ଼ିବ । ଏହି କାରଣରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଶେହଲା ଟ୍ବିଟ୍ କରିଥିଲେ।