Site icon ଆଜିକାଲି

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟକୁ ଶୁକ୍ରବାର ହାଇ ଆଲର୍ଟରେ ରଖାଯାଇଛି। ସୁରକ୍ଷା ଏଜେନ୍ସି ତରଫରୁ ସମ୍ଭାବ୍ୟ ଅସାମାଜିକ କାର୍ଯ୍ୟକଳାପ ବିଷୟରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଉଛି। ସୁରକ୍ଷା ଏଜେନ୍ସିକୁ ଭୟ ରହିଛି ଯେ ଆତଙ୍କବାଦୀ ସଙ୍ଗଠନ ଯୁଦ୍ଧ ପ୍ରସଙ୍ଗରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟ କରିପାରନ୍ତି।

ରିପୋର୍ଟ ମୁତାବକ, ଶୁକ୍ରବାରର ନମାଜ ପାଠକୁ ଧ୍ୟାନରେ ରଖି ରାଜଧାନୀ ଦିଲ୍ଲୀର ରାସ୍ତାଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି, ଯେପରି କୌଣସି ବି ପ୍ରକାର ଅସାମାଜିକ ଗତିବିଧି ଉପରେ ନଜର ରଖାଯାଇ ପାରିବ। ଇସ୍ରାଏଲ୍ ଦୂତାବାସ ଏବଂ ଇହୁଦୀ ଧାର୍ମିକ ପ୍ରତିଷ୍ଠାନ ସମେତ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି।

ସୂତ୍ରରୁ ଜଣାପଡ଼ିଛି, ସୁରକ୍ଷା ଏଜେନ୍ସି ଦେଶରେ ରହୁଥିବା ଇସ୍ରାଏଲ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଛି। ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ଗୋଆ ଭଳି ରାଜ୍ୟର ପ୍ରଶାସନକୁ ଇସ୍ରାଏଲର କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ତେବେ କେବଳ ଭାରତରେ ହିଁ ଇସ୍ରାଏଲ ଲୋକଙ୍କୁ ନେଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଆଲର୍ଟରେ ନାହାନ୍ତି, ବରଂ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳୁଛି। ଏହି ଦେଶଗୁଡିକରେ ପାଲେଷ୍ଟାଇନ ସମର୍ଥକ ରାଲି ବାହାରିଛି, ଯାହା ପରେ ଇହୁଦୀ ପ୍ରତିଷ୍ଠାନ ଏବଂ ଇସ୍ରାଏଲ୍ ନାଗରିକଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି।

Exit mobile version