Site icon ଆଜିକାଲି

ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ, ୧୭ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି ‌‌। ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଫେବୃଆରୀ ୧୬ରେ ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ଏଏସଜି ସଞ୍ଜୟ ଜେନା ଏହି ମାମଲାରେ ବିସ୍ତୃତ ଶୁଣାଣି ହେବା ଉଚିତ ବୋଲି ଯୁକ୍ତି କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୭ରେ କରିବେ ।

ଦିଲ୍ଲୀ ମେୟର ନିର୍ବାଚନରେ ଭୋଟ୍ ଦେବା ପାଇଁ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ୧୦ ଜଣ ସଦସ୍ୟଙ୍କୁ ଅନୁମତି ଦିଆଯାଇଥିଲା । ଏହାକୁ କେନ୍ଦ୍ରକରି ଦିଲ୍ଲୀ ମହାନଗର ନିଗମର ଗତ ତିନୋଟି ବୈଠକରେ ବିବାଦ ସୃଷ୍ଟି ହୋଇଥିଲା । ଆପର ତୀବ୍ର ବିରୋଧ ପରେ ଏମସିଡି ବୈଠକ ବାତିଲ କରାଯାଇଥିଲା। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆଇନ ମୁତାବକ ମନୋନୀତ ସଦସ୍ୟ ଗୃହର ବୈଠକରେ ଭୋଟ୍ ଦେଇ ପାରିବେ ନାହିଁ।

ଡିସେମ୍ବରରେ ଅନୁଷ୍ଠିତ ଏମସିଡି ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୧୩୪ଟି ୱାର୍ଡ ଜିତି ବିଜେପିର ୧୫ ବର୍ଷର ଶାସନର ଅନ୍ତ ଘଟାଇଥିଲା। ଅନ୍ୟପକ୍ଷରେ, ୧୦୪ ୱାର୍ଡ ଜିତି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା । କଂଗ୍ରେସ କେବଳ ୯ଟି ଆସନରେ ସୀମିତ ରହିଥିଲା ।

Exit mobile version