Site icon ଆଜିକାଲି

ଦିଲ୍ଲୀରେ ବନ୍ୟା ପରିସ୍ଥିତି ଯୋଗୁଁ ହାଇ ଆଲର୍ଟ, ୪୫ ବର୍ଷର ରେକର୍ଡ଼ ଭାଙ୍ଗିଲା ଯମୁନା ନଦୀର ଜଳସ୍ତର

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ଭାବେ ଫୁଲିଉଠିଛି ଯମୁନା ନଦୀ । ଯମୁନା ନଦୀ ଜଳ ସ୍ତର ୨୦୭.୨୫ ମିଟରକୁ ବୃଦ୍ଧି ପାଇଛି, ଯାହା ୧୯୭୮ ମସିହାରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ଜଳ ସ୍ତର (୨୦୭.୪୯)ର ନିକଟତର । ବନ୍ୟା ପରିସ୍ଥିତି ଯୋଗୁଁ ଜାତୀୟ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ର ବନ୍ୟା ନିରୀକ୍ଷଣ ପୋର୍ଟାଲ ଅନୁଯାୟୀ, ପୁରୁଣା ରେଳ ବ୍ରିଜ୍ ଠାରେ ଯମୁନାର ଜଳ ସ୍ତର ୨୦୧୩ ପରେ ପ୍ରଥମ ଥର ପାଇଁ ୨୦୭ ମିଟର ଅତିକ୍ରମ କରି ବୁଧବାର ସକାଳ ୮ଟା ସୁଦ୍ଧା ୨୦୭.୨୫ ମିଟରକୁ ବୃଦ୍ଧି ପାଇଛି।

ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ବୁଧବାର ମଧ୍ୟାହ୍ନ ସୁଦ୍ଧା ନଦୀର ଜଳ ସ୍ତର ୨୦୭.୩୫ ମିଟର ଛୁଇଁବ ଏବଂ ଜଳ ସ୍ତର ଆହୁରି ବୃଦ୍ଧି ପାଇବ। ଦିଲ୍ଲୀରେ ଗତ ତିନି ଦିନ ମଧ୍ୟରେ ଯମୁନାର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରବିବାର ଦିନ ୧୧ଟା ସୁଦ୍ଧା ଏହାର ଜଳ ସ୍ତର ୨୦୩.୧୪ ମିଟର ରେକର୍ଡ କରାଯାଇଥିଲା, ଯାହା ଶୀଘ୍ର ବିପଦ ସଙ୍କେତ (୨୦୫.୩୩ ମିଟର) ଟପିଥିଲା |

ସୋମବାର ରାତିରେ ଯମୁନାର ଜଳ ସ୍ତର ୨୦୬ ମିଟର ଟପିଯାଇଥିଲା। ଫଳରେ ବନ୍ୟା ବିପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରାସ୍ତା ଓ ରେଳ ଚଳାଚଳ ପାଇଁ ପୁରୁଣା ରେଳ ବ୍ରିଜ ବନ୍ଦ କରାଯାଇଥିଲା। ସିଡବ୍ଲ୍ୟୁସି ତଥ୍ୟ ଅନୁଯାୟୀ, ଯମୁନାର ସମ୍ପ୍ରତି ଜଳ ସ୍ତର ୨୦୭.୨୫ ମିଟର ୨୦୧୩ (୨୦୭.୩୨) ପରଠୁ ସର୍ବାଧିକ।

ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାଣ ତଥା ପ୍ରବଳ ବର୍ଷା ଯୋଗୁଁ ଯମୁନାର ଜଳ ସ୍ତର ବୃଦ୍ଧି ପାଇଛି । ଉପରମୁଣ୍ଡରେ ଜଳ ସ୍ତର ମଧ୍ୟ ବଢ଼ିଛି। ବିଭାଗ କହିଛି ଯେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସଚେତନତା, ଥଇଥାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୪୫ଟି ଡଙ୍ଗା ନିୟୋଜିତ କରାଯାଇଛି । ସ୍ଥାନାନ୍ତରିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏନଜିଓ ମାନଙ୍କ ସହାୟତା ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

Exit mobile version