Site icon ଆଜିକାଲି

ପ୍ରମାଣ ଅଭାବରୁ ବ୍ରଜ ଭୂଷଣଙ୍କୁ ଗିରଫ କରାଯାଉନି? ଖବରକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ । କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ଖବରକୁ ଦିଲ୍ଲୀ ପୋଲିସ୍ ଖଣ୍ଡନ କରିଛି ।

ଦିଲ୍ଲୀ ପୋଲିସ ମୁଖପାତ୍ର ସୁମନ ନାଲୱା କହିଛନ୍ତି, କିଛି ଗଣମାଧ୍ୟମ ଚ୍ୟାନେଲ ଏପରି ଖବର ପ୍ରସାରଣ କରୁଛନ୍ତି । ସେମାନେ ଦାବି କରୁଛନ୍ତି ଯେ ପୂର୍ବତନ ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ରୁଜୁ ମାମଲାରେ ଦିଲ୍ଲୀ ପୋଲିସ ପର୍ଯ୍ୟାପ୍ତ ପ୍ରମାଣ ପାଇ ନାହିଁ ଏବଂ ଏହି ମାମଲାରେ ଚୂଡ଼ାନ୍ତ ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରାଯିବ । ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହି ଖବର ଭୁଲ । ଏହି ମାମଲାର ସମ୍ପୂର୍ଣ୍ଣ ଗମ୍ଭୀରତା ଓ ସମ୍ବେଦନଶୀଳତା ସହ ତଦନ୍ତ ଚାଲିଛି ।

ବ୍ରଜ ଭୂଷଣ ଶରଣ ସିଂଙ୍କ ଗିରଫଦାରୀ ଦାବି କରି ଦେଶର ଅନେକ ଷ୍ଟାର ରେସଲର ଆନ୍ଦୋଳନ ଜାରି ରଖିଛନ୍ତି । ମଙ୍ଗଳବାର ଦିନ ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ବିକ୍ଷୋଭରତ କୁସ୍ତିଯୋଦ୍ଧା ଗଙ୍ଗାନଦୀରେ ସେମାନଙ୍କ ପଦକ ବିସର୍ଜନ କରିବାକୁ ସମର୍ଥକଙ୍କ ସହ ହରିଦ୍ଵାରରେ ପହଞ୍ଚିଥିଲେ ।

ତେବେ କୃଷକ ନେତା ନରେଶ ଟିକାୟତ କୁସ୍ତିଯୋଦ୍ଧାମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କୁ ବୁଝାସୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ନିଜ ପଦକ ଟିକାୟତଙ୍କୁ ଦେଇ ଫେରିଥିଲେ। ବ୍ରଜ ଭୂଷଣଙ୍କୁ ଗିରଫ କରିବା ପାଇଁ କୁସ୍ତିଯୋଦ୍ଧାମାନେ ସରକାରଙ୍କୁ ପାଞ୍ଚ ଦିନର ମହଲତ ଦେଇଛନ୍ତି। ଏହାପୂର୍ବରୁ ମେ ୨୮ରେ କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଗୃହ ଆଡକୁ ଯିବାବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା । ଏଥି ସହ ଜନ୍ତର ମନ୍ତରରେ ଖେଳାଳିମାନେ ଲଗାଇଥିବା ତମ୍ବୁ ଓ ଟେଣ୍ଟକୁ ପୋଲିସ ହଟାଇ ଦେଇଥିଲା।

Exit mobile version