Site icon ଆଜିକାଲି

କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗ ନେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯିବ।ଆଜି ରେସଲରଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛି ଦିଲ୍ଲୀ ପୋଲିସ । ଆଜି ହିଁ ବ୍ରଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କୋର୍ଟଙ୍କୁ କହିଛି ଦିଲ୍ଲୀ ପୋଲିସ । ଏହାଛଡ଼ା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ମଧ୍ୟ ମହିଳା ରେସଲରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଡବ୍ଲୁଏଫ୍ଆଇ ସଭାପତି ତଥା ବିଜେପି ସାଂସଦ ବ୍ରଜଭୂଷଣଙ୍କ ବିରୋଧରେ ଗତ କିଛି ଦିନ ଧରି ଜନ୍ତର ମନ୍ତରରେ ଦେଶର ଷ୍ଟାର ରେସଲରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ବ୍ରଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ରେସଲରଙ୍କ ଅଭିଯୋଗ ଗମ୍ଭୀର ବୋଲି କହି ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରି ଜବାବ ଲୋଡ଼ିଥିଲେ ।

ଡବ୍ଲୁଏଫ୍ଆଇ ସଭାପତି ବ୍ରଜଭୂଷଣ ଶରଣ ସିଂହ ଏବଂ ଅନ୍ୟ କୋଚଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରେସଲରମାନେ ଚଳିତ ବର୍ଷ ଜାନୁଆରୀରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ତେବେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ରେସଲରଙ୍କ ଅଭିଯୋଗର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରାଳୟ କିମ୍ବଦନ୍ତୀ ବକ୍ସର ଏମସି ମେରିକମଙ୍କ ନେତୃତ୍ୱରେ ଏକ ମନିଟରିଂ କମିଟି ଗଠନ କରିଥିଲେ । କମିଟି ଏପ୍ରିଲ୍ ୫ରେ ନିଜ ରିପୋର୍ଟ ଦାଖଲ କରିଥିଲା । ହେଲେ ଏହି ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ ।

ସେମାନଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଦାବି କରି ରେସଲରମାନେ ପୁଣି ଗତ ରବିବାର ଠାରୁ ଜନ୍ତର ମନ୍ତର ଠାରେ ଧାରଣାରେ ବସିଛନ୍ତି ।

ଅନ୍ୟପକ୍ଷରେ ଯୌନ ନିର୍ଯାତନା ଅଭିଯୋଗକୁ ବ୍ରଜଭୂଷଣ ଶରଣ ସିଂହ ଖଣ୍ଡନ କରି ‌ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସେ ଏହା ପ୍ରମାଣିତ କରିବାକୁ କଠୋର ସଂଘର୍ଷ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଡବ୍ଲୁଏଫ୍ଆଇ ସଭାପତି । ଏହି ପ୍ରଭାବଶାଳୀ ବିଜେପି ସାଂସଦ ଗୁରୁବାର ଏକ ଭିଡିଓ ଜାରି କରି କହିଛନ୍ତି, ଯେବେ ସେ ନିଜକୁ ଅସହାୟ ଅନୁଭବ କରିବେ, ତେବେ ସେ ମୃତ୍ୟୁକୁ ଆପଣାଇବେ।

Exit mobile version