Site icon ଆଜିକାଲି

ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍, ହ୍ବିପ୍ ଜାରି କରିଛି ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ସେବା ବିଲକୁ ରାଜ୍ୟସଭାରେ ଉପସ୍ଥାପନ କରିବେ। ଲୋକସଭାରେ ଏହି ବିଲ୍ ପାରିତ ହୋଇଥିବାରୁ ବିରୋଧୀ ରାଜ୍ୟସଭାରେ ଏହି ବିଲକୁ ଚ୍ୟାଲେଞ୍ଜ କରିବାକୁ ଅଣ୍ଟା ଭିଡିଛନ୍ତି।

ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ଆମ୍ ଆଦମୀ ପାର୍ଟି ହ୍ବିପ୍ ଜାରି କରିଛି। ରାଜ୍ୟସଭାରେ ସମ୍ପ୍ରତି ମୋଟ ୨୩୭ ସଦସ୍ୟ ଅଛନ୍ତି । ରାଜ୍ୟସଭାରେ ବିଲ୍ ପାସ୍ କରିବାକୁ ୧୧୯ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଅନ୍ୟପକ୍ଷରେ କଂଗ୍ରେସ ସମେତ ଆପକୁ ସମର୍ଥନ କରୁଥିବା ସମସ୍ତ ଦଳର ସଦସ୍ୟଙ୍କ ସଂଖ୍ୟା ହେଉଛି ୧୦୫ । ଏଭଳି ପରିସ୍ଥିତିରେ ରାଜ୍ୟସଭାରେ ବିଲ୍ ପାରିତ ହେବାରେ ମୋଦୀ ସରକାରଙ୍କୁ ସେଭଳି ସମସ୍ୟା ହେବ ନାହିଁ ବୋଲି ଅନୁମାନ କରାଯାଉଛି ।

ରାଜ୍ୟସଭାରେ ବିଜେପିର ଅଛନ୍ତି ୯୨ ସାଂସଦ । ଏହାଛଡ଼ା ଏନଡିଏର ଅନ୍ୟ ସହଯୋଗୀ ଦଳମାନଙ୍କ ସାଂସଦଙ୍କୁ ମିଶାଇ ଏହି ସଂଖ୍ୟା ୧୦୩ ହେଉଛି। ହେଲେ ଦିଲ୍ଲୀ ସେବା ବିଲକୁ ବିଜେଡି ଓ ଓ୍ବାଇଏସ୍ଆର ସମର୍ଥନ କରୁଥିବାରୁ ବିଜେପିକୁ ଏହି ପ୍ରସଙ୍ଗରେ ମୋଟ ୧୨୮ ସଦସ୍ୟଙ୍କ ସମର୍ଥନ ମିଳିବ । ଫଳରେ ଦିଲ୍ଲୀ ସେବା ବିଲ୍ ରାଜ୍ୟସଭାରେ ମଧ୍ୟ ପାରିତ ହେବା ଥୟ।

Exit mobile version