Site icon ଆଜିକାଲି

ଛାୱଲା ଗଣବଳାତ୍କାର ଓ ହତ୍ୟା ମାମଲା : ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଗତ ୨୦୧୨ ଛାୱଲା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ୩ ଦୋଷୀଙ୍କୁ ମୁକ୍ତ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର । ଏଥିପାଇଁ ଉପରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି । ସୋମବାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ପ୍ରତିନିଧିତ୍ୱ କରିବା ପାଇଁ ସକ୍ସେନା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହାୟତା ନେବା ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରିଛନ୍ତି।

ଛାଓ୍ବଲା ଗଣବଳାତ୍କାର ଓ ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ ଦାୟର କରିବାକୁ ଉପରାଜ୍ୟପାଳ ଅନୁମୋଦନ ଦେଇଛନ୍ତି ବୋଲି ଅଧିକାରୀ କହିଛନ୍ତି।

ଦିଲ୍ଲୀର ଛାୱଲା ଅଞ୍ଚଳରେ ୨୦୧୨ରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ତଳ କୋର୍ଟ ଆଦେଶକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ ।

ଅଭିଯୁକ୍ତ ମୃତ୍ୟୁ ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ୭ ନଭେମ୍ବର ୨୦୨୨ରେ ତଳକୋର୍ଟ ଏବଂ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି ଅଭିଯୁକ୍ତ ମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version