Site icon ଆଜିକାଲି

ଋଷି ସୁନକଙ୍କ ସଫଳତା କାମନା କଲେ ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ


ନୂଆଦିଲ୍ଲୀ : ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ନବନିର୍ବାଚିତ କଞ୍ଜର୍ଭେଟିଭ୍ ପାର୍ଟି ନେତା ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଲିଜ ଟ୍ରସ ମଧ୍ୟ ରାଜା ଚାର୍ଲସ ତୃତୀୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ। ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ।

ବ୍ରିଟେନର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ମଙ୍ଗଳବାର ୧୦ ଡାଉନିଂ ଷ୍ଟ୍ରିଟରେ ନିଜ ବିଦାୟୀ ଅଭିଭାଷଣ ରଖିଛନ୍ତି । ନିଜ ଭାଷଣରେ ସେ ନିଜ ଉତ୍ତରାଧିକାରୀ ଋଷି ସୁନକଙ୍କ ସଫଳତା କମନା କରିଛନ୍ତି । ଏହି ଅବସରରେ ସେ ନିଜ ସରକାରଙ୍କ ଉପଲବ୍ଧିକୁ ମଧ୍ୟ ପ୍ରଶଂସା କରିଛନ୍ତି । କିଙ୍ଗ ଚାର୍ଲ୍ସଙ୍କୁ ଭେଟି ଆନୁଷ୍ଠାନିକ ଭାବେ ଇସ୍ତଫା ଦେବା ପାଇଁ ବକିଂଘମ ପ୍ୟାଲେସ ଯିବା ପୂର୍ବରୁ ଟ୍ରସ କହିଛନ୍ତି, ‘ଆମେ ଏକ ତୋଫାନ ସହ ଲଢେଇ କରୁଛୁ, କିନ୍ତୁ ମୋତେ ବ୍ରିଟେନ ଉପରେ ବିଶ୍ୱାସ ଅଛି, ବ୍ରିଟିଶ ଲୋକଙ୍କ ଉପରେ ଭରଷା ଅଛି ଏବଂ ମୋର ବିଶ୍ୱାସ ଭବିଷ୍ୟତ ଉଜ୍ୱଳମୟ ହେବ’।

ଏହା ପୂର୍ବରୁ ଋଷି ସୁନକ ସୋମବାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ସମ୍ୱୋଧନରେ କହିଥିଲେ, ‘ବ୍ରିଟେନ ଏକ ମହାନ ଦେଶ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ବର୍ତ୍ତମାନ ସମୟରେ ଏକ ଜଟିଳ ଆର୍ଥିକ ସମସ୍ୟାର ସାମନା କରୁଛୁ’। ସେ କହିଥିଲେ, ‘ଆମକୁ ସ୍ଥିରତା ଏବଂ ଏକତାର ଆବଶ୍ୟକତା ରହିଛି । ମୁଁ ମୋର ଦଳ ଏବଂ ନିଜ ଦେଶକୁ ଏକ କରିବାକୁ ସର୍ବୋଚ୍ଚ ପ୍ରଥାମିକତା ଦେବି, କାରଣ ଏହା ହିଁ ଏକମାତ୍ର ଉପାୟ ଯାହା ଦ୍ୱାରା ଆମ ସାମନାକୁ ଆସୁଥିବା ଆହ୍ୱାନକୁ ଆମେ ସାମନା କରିପାରିବା ଏବଂ ନିଜ ଭବିଷ୍ୟତ ପିଢି ପାଇଁ ଏକ ଉନ୍ନତ, ଅଧିକ ସମୃଦ୍ଧ ଭବିଷ୍ୟତର ନିର୍ମାଣ କରିପାରିବା’।

Exit mobile version