Site icon ଆଜିକାଲି

ଧାମନଗର ଉପନିର୍ବାଚନ: ମଇଦାନରେ ୫ ପ୍ରାର୍ଥୀ, ୧୦୭ ବୁଥ ସମ୍ବେଦନଶୀଳ ଚିହ୍ନଟ


ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ମୈଦାନରେ ରହିଲେ ୫ ଜଣ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଜଣଙ୍କର ନାମାଙ୍କନ ପତ୍ର ଖାରଜ ହୋଇଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଥିଲା ଶେଷ ଦିନ। ହେଲେ କେହି ବି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି।

ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ଅନ୍ୟ ଜଣେ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ଲୋହାନୀ କହିଛନ୍ତି ଯେ, ଧାମନଗର ନିର୍ବାଚନ ପାଇଁ ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ନଭେମ୍ବର ୩ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି । ୨୦ଟି ଟିମ୍ ଘରକୁ ଯାଇ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ । ୧୨୦୫ ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଛନ୍ତି । ୧୩୪ ବୁଥର ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନୀ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ବାଲାଟର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୨ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ୍ ଟିମ୍ ନିୟୋଜିତ ହେବେ । ଉପନିର୍ବାଚନରେ ପ୍ରତି ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଲେଖାଏଁ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Exit mobile version