Site icon ଆଜିକାଲି

ଆଇପିଏଲର ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନେତୃତ୍ୱ ଛାଡ଼ିଲେ ଧୋନି, ଋତୁରାଜ ନୂଆ କ୍ୟାପଟେନ୍

ଚେନ୍ନାଇ: ଆଇପିଏଲ୍ ୨୦୨୪ ସିଜନର ଦିନକ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

କ୍ୟାପଟେନ ଭାବରେ ଚେନ୍ନାଇ ସହିତ ୨୦୦୮ରୁ ଆରମ୍ଭ ହୋଇଥିବା ଧୋନିଙ୍କ ଯାତ୍ରା ଶେଷ ହୋଇଛି । ଧୋନି ୨୦୨୨ ସିଜନ୍ ଆରମ୍ଭରୁ ମଧ୍ୟ ଦଳର ନେତୃତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ସେହି ସିଜନର ୮ଟି ମ୍ୟାଚ୍ ପରେ ଧୋନି ପୁଣି ଚେନ୍ନାଇର ନେତୃତ୍ୱ ସମ୍ଭାଳିଥିଲେ ଏବଂ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପଞ୍ଚମ ଥର ଚାମ୍ପିୟନ କରାଇଥିଲେ ।

ଉଭୟ ଫ୍ରାଞ୍ଚାଇଜ୍ ଓ ଆଇପିଏଲ୍ ତରଫରୁ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଆଇପିଏଲ୍ ୨୦୨୪ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ ।

ଭାରତ ପାଇଁ ୬ଟି ଦିନିକିଆ ଓ ୧୯ ଟି-୨୦ ମ୍ୟାଚ୍ ଖେଳିଥିବା ଋତୁରାଜ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗ ଦେଇଥିଲେ । ସେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିୟନ୍ ଚେନ୍ନାଇ ପାଇଁ ଏଯାବତ୍ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଋତୁରାଜ ଗତ ବର୍ଷ ୧୬ଟି ମ୍ୟାଚରେ ୧୪୭.୫୦ ଷ୍ଟ୍ରାଇକ୍ ରେଟରେ ୫୯୦ ରନ୍ କରିଥିଲେ।

ସିଏସକେ ନିଜ ୱେବସାଇଟରେ ଏକ ବିବୃତ୍ତିରେ କହିଛି, “ଏମଏସ ଧୋନି ଟାଟା ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ବ ଋତୁରାଜ ଗାଏକୱାଡଙ୍କୁ ହସ୍ତାନ୍ତର କରିଛନ୍ତି। ଋତୁରାଜ ୨୦୧୯ ଠାରୁ ଚେନ୍ନାଇ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି ଏବଂ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି।

ଧୋନି ସମ୍ଭବତଃ ଏହି ସିଜନ୍ ପରେ କ୍ରିକେଟକୁ ଅଲବିଦା କହିବେ । ତେଣୁ ଦଳ ତାଙ୍କ ଉପସ୍ଥିତିରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଥାଇପାରେ ।

Exit mobile version