Site icon ଆଜିକାଲି

ତତ୍କାଳୀନ ସୋଭିଏତ୍ ସଂଘର ଶେଷ ରାଷ୍ଟ୍ରପତି ମିଖାଏଲ୍ ଗୋର୍ବାଚେଭଙ୍କ ଦେହାନ୍ତ

ମସ୍କୋ: ତତ୍କାଳୀନ ସୋଭିଏତ୍ ସଂଘର ରାଷ୍ଟ୍ରପତି ମିଖାଏଲ୍ ଗୋର୍ବାଚେଭଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୯୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ରୁଷର ନ୍ୟୁଜ୍ ଏଜେନ୍ସି ଏହି ସୂଚନା ଦେଇଛି।

ମିଖାଏଲ୍ ଗୋର୍ବାଚେଭ ଆମେରିକା ଓ ସୋଭିଏତ୍ ସଂଘ ମଧ୍ୟରେ ଶୀତଳ ଯୁଦ୍ଧର ଅନ୍ତ ଘଟାଇଥିଲେ । ତଥାପି ସୋଭିଏତ୍ ସଂଘ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା | ଗୋର୍ବାଚେଭ ସଂଯୁକ୍ତ ସୋଭିଏତ୍ ସଂଘର ଶେଷ ରାଷ୍ଟ୍ରପତି ଥିଲେ। ଆଜିର ରୁଷକୁ ସେତେବେଳେ ୟୁନାଇଟେଡ୍ ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ ବୋଲି (ୟୁଏସ୍ଏସ୍ଆର୍) କୁହାଯାଉଥିଲା | ମିଖାଇଲ୍ ସୋଭିଏତ୍ ସଂଘର ଜଣେ ପ୍ରଭାବଶାଳୀ ନେତା ଥିଲେ ଯିଏକି କମ୍ୟୁନିଷ୍ଟ ଶାସନରେ ସଂସ୍କାର ଆଣିବାରେ ନେତୃତ୍ୱ ନେଇଥିଲେ। ଗଣତାନ୍ତ୍ରିକ ନୀତି ଆଧାରରେ ସୋଭିଏତ୍ ସରକାର ଚାଲୁ ବୋଲି ଚାହୁଁଥିଲେ ଗୋର୍ବାଚେଭ । ସେ ଚାହୁଁଥିଲେ ସାଧାରଣ ଜନତାଙ୍କୁ କିଛି ସ୍ୱାଧୀନତା ମିଳୁ। ଏହା ସତ ଯେ ୧୯୮୯ରେ ଯେତେବେଳେ ସୋଭିଏତ୍ ସଂଘର ପୂର୍ବ ୟୁରୋପ ଭାଗରେ ଗଣତନ୍ତ୍ର ସମର୍ଥକ ଆନ୍ଦୋଳନ ଦାନା ବାନ୍ଧୁଥିଲା, ଗୋର୍ବାଚେଭ ଏହାକୁ ରୋକିବା ପାଇଁ ବଳ ପ୍ରୟୋଗ କରିଥିଲେ। ଅବଶ୍ୟ ସେ ‘ଗ୍ଲାସନୋସ୍ତ’ ତଥା ଅଭିବ୍ୟକ୍ତିର ସ୍ୱାଧୀନତାର ମଧ୍ୟ ସମର୍ଥକ ଥିଲେ, ଯାହା ଉପରେ ତାଙ୍କ ପୂର୍ବ ଶାସକଙ୍କ ସମୟରେ କଡ଼ା କଟକଣା ଲଗାଯାଇଥିଲା ।

ଗୋର୍ବାଚେଭ ‘ଗ୍ଲାସନୋସ୍ତ’ ସହ ‘ପେରେଷ୍ଟ୍ରୋଏକା’ ପାଇଁ ମଧ୍ୟ ଜଣାଶୁଣା ଥିଲେ ଯାହା ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଥିଲା । ‘ପେରେଷ୍ଟ୍ରୋଏକା’ ଅର୍ଥ ଅର୍ଥନୈତିକ ପୁନର୍ଗଠନ | ସେତେବେଳେ ସୋଭିଏତ୍ ସଂଘରେ ଏହାର ବହୁତ ଆବଶ୍ୟକତା ଥିଲା । କାରଣ ସେତେବେଳେ ସୋଭିଏତ୍ ସଂଘ ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ଉତ୍କଟ ଅଭାବର ସମ୍ମୁଖୀନ ହେଉଥିଲା | ସେତେବେଳେ ଗୋର୍ବାଚେଭ ଗଣମାଧ୍ୟମ ଏବଂ କଳା ଜଗତକୁ ସାଂସ୍କୃତିକ ସ୍ୱାଧୀନତା ଦେଇଥିଲେ। ସରକାରଙ୍କ ଉପରେ କମ୍ୟୁନିଷ୍ଟ ପାର୍ଟିର ଆଭିମୁଖ୍ୟକୁ ମୁକ୍ତ କରିବା ଦିଗରେ ସେ ଅନେକ ବୈପ୍ଳବିକ ସଂସ୍କାର ଆଣିଥିଲେ। ଏଥି ସହ ତାଙ୍କ ସମୟରେ ହଜାର ହଜାର ରାଜନୈତିକ ବନ୍ଦୀ ତଥା କମ୍ୟୁନିଷ୍ଟ ଶାସନର ସମାଲୋଚକମାନେ ମଧ୍ୟ ଜେଲରୁ ମୁକୁଳିଥିଲେ। ଆମେରିକା ସହିତ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିନାମା କାର୍ଯ୍ୟକାରୀ ପାଇଁ ମଧ୍ୟ ଗୋର୍ବାଚେଭଙ୍କୁ ଶ୍ରେୟ ଦିଆଯାଏ। ଏଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

Exit mobile version