Site icon ଆଜିକାଲି

ପାକିସ୍ତାନର ସହଜ ବିଜୟ, ବାଂଲାଦେଶ ବିଦା

କୋଲକାତା: ଲଗାତାର ଚାରି ପରାଜୟ ପରେ ପାକିସ୍ତାନ ବିଜୟ ଟ୍ରାକକୁ ଫେରିଛି । ଇଡେନ୍ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପର ଏକ‌ ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇଛି ପାକିସ୍ତାନ ।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୪୫.୧ ଓଭରରେ ୨୦୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହି ଲକ୍ଷ୍ୟର ଜବାବରେ ପାକିସ୍ତାନ ୩ ୱିକେଟ୍ ହରାଇ ମାତ୍ର ୩୨.୩ ଓଭରରେ ମ୍ୟାଚ୍ ଜିତିନେଇଥିଲା । ଦଳ ତରଫରୁ ଓପନର୍ ଫଖର ଜମାନ ୭୪ ବଲରେ ୩ଟି ଚୌକା ଓ ୭ଟି ଛକା ସହ ବିସ୍ଫୋରକ ୮୧ ରନ୍ କରିଥିଲେ । ତାଙ୍କ ଓପନିଂ ପାର୍ଟନର ଅବଦୁଲ୍ଲା ଶଫିକ୍ ମଧ୍ୟ ୬୮ ରନର ଇନିଂସ ଖେଳିଥିଲେ। ଏହି ଦୁଇ ଓପନର ପ୍ରଥମ ଓ୍ବିକେଟରେ ୧୨୮ ରନ୍ ଯୋଗ କରି ଦଳର ବିଜୟ ସହଜ କରିଥିଲେ ।

ଏହି ସହଜ ବିଜୟ ସହ ପାକିସ୍ତାନ ନିଜ ସେମିଫାଇନାଲ ଆଶା ଉଜ୍ଜୀବିତ କରିଛି । ଦଳ ୭ଟି ମ୍ୟାଚରୁ ୩ ବିଜୟ ଏବଂ ୪ ପରାଜୟ ସହ ୬ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ପାକିସ୍ତାନ ଲିଗ୍ ପର୍ଯ୍ୟାୟରେ ଆଉ ୨ଟି ମ୍ୟାଚ୍ ଖେଳିବ । ଯଦି ପାକ୍ ଟିମ୍ ଶେଷ ଦୁଇଟି ମ୍ୟାଚ୍‌ ଜିତେ ତେବେ ଦଳର ୧୦ ପଏଣ୍ଟ ହୋଇଯିବ ଓ ବାବରଙ୍କ ଦଳ ଚତୁର୍ଥ ସ୍ଥାନ ହାସଲ କରି ସେମିଫାଇନାଲରେ ପହଞ୍ଚିପାରେ |

ଅନ୍ୟପକ୍ଷରେ ବାଂଲାଦେଶ ୭ଟି ମ୍ୟାଚରୁ ଲଗାତାର ଷଷ୍ଠ ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି । ଦଳ‌ ଏହାର ଶେଷ ଦୁଇଟି ମ୍ୟାଚ୍‌ ଜିତିଲେ ମଧ୍ୟ ସେମିଫାଇନାଲରେ ପହଞ୍ଚିବା ସମ୍ଭାବନା ନାହିଁ ।

ପୂର୍ବରୁ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳର ବ୍ୟାଟିଂ ପୁଣି ନୈରାଶ୍ୟଜନକ ହୋଇଥିଲା । ଦଳ ତରଫରୁ ମହମ୍ମୁଦୁଲ୍ଲା ସର୍ବାଧିକ ୫୬ ରନ୍ କରିଥିବା ବେଳେ ଲିଟନ୍ ଦାସ ୪୫ ଓ ଅଧିନାୟକ ସକିବ ଅଲ୍ ହସନ୍ ୪୩ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଶାହିନ୍ ଶାହା ଆଫ୍ରିଦି ଏବଂ ମହମ୍ମଦ ଓ୍ବାସିମ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ହାରିସ୍ ରାଉଫ୍ ୨ଟି ଓ୍ବିକେଟ୍ ପାଇଥିଲେ ।

Exit mobile version