Site icon ଆଜିକାଲି

ଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ନିର୍ବାଚନ ଆୟୋଗର ମାନ୍ୟତା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ପ୍ରଦାନ କରିଛି । ଶୁକ୍ରବାର ସନ୍ଧ୍ୟାରେ ଆୟୋଗ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନାମ ସହ ନିର୍ବାଚନ ଚିହ୍ନ ‘ଧନୁ-ତୀର’ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଶିବସେନାର ବର୍ତ୍ତମାନର ସମ୍ବିଧାନ ଅଗଣତାନ୍ତ୍ରିକ। ନିର୍ବାଚନ ନକରି ନିଜ ଉଦ୍ଧବ ଠାକରେ ନିଜ ସର୍କଲରୁ ଲୋକଙ୍କୁ ଦଳର ପଦାଧିକାରୀ ଭାବରେ ନିଯୁକ୍ତ କରୁଛନ୍ତି । ଦଳର ସମ୍ବିଧାନ ୨୦୧୮ରେ ସଂଶୋଧନ ହୋଇଥିଲେ ମଧ୍ୟ ଏହା ଅୟୋଗ ରେକର୍ଡରେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛି ।

ସୁପ୍ରିମକୋର୍ଟର ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ସାମ୍ବିଧାନିକ ଖଣ୍ଡପୀଠ ଶିବସେନା ଉପରେ ସିନ୍ଦେ ଗୋଷ୍ଠୀର ଦାବିକୁ ନେଇ ନିର୍ବାଚନ ଆୟୋଗର ଶୁଣାଣି ଉପରେ ରହିତାଦେଶ ହଟାଇ ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବର ୨୭ରେ କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ଶିବସେନାର ନିର୍ବାଚନ ପ୍ରତୀକ ଉପରେ ଆୟୋଗ ନିଷ୍ପତ୍ତି ନେଇପାରିବେ। ଏହା ଉଦ୍ଧବ ଠାକରେଙ୍କ ପାଇଁ ବଡ଼ ଝଟକା ଥିଲା । କାରଣ ବିଧାୟକଙ୍କ ଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନ ନିଆଯିବା ପର୍ଯ୍ୟନ୍ତ ସେ ନିର୍ବାଚନ ଆୟୋଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲାଗୁ ବୋଲି ଚାହୁଁଥିଲେ ।

ଅନ୍ୟପକ୍ଷରେ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ବିବାଦ ନେଇ ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ବିଚାରାଧୀନ ରହିଛି । ଏହି ମାମଲାକୁ ୭ ଜଣିଆ ବୃହତ ଖଣ୍ଡପୀଠ ନିକଟକୁ ପଠାଯିବ କି ନାହିଁ ତାହା କୋର୍ଟ ଫେବୃୟାରୀ ୨୧ରେ ଶୁଣାଣି କରିବେ। ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ରୂପେ ମାନ୍ୟତା ଦେବା ନିଷ୍ପତ୍ତିକୁ ଉଦ୍ଧବ ଗୋଷ୍ଠୀ ସମାଲୋଚନା କରିଛି । ମାମଲା କୋର୍ଟରେ ବିଚାରାଧୀନ ରହିଥିବା ସତ୍ତ୍ବେ ଏଭଳି ନିଷ୍ପତ୍ତି ନେଇ ନିର୍ବାଚନ ଆୟୋଗ ପ୍ରମାଣ କରିଛି ଯେ ଏହା ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛି ବୋଲି ଉଦ୍ଧବ ଗୋଷ୍ଠୀ କହିଛି ।

Exit mobile version