Site icon ଆଜିକାଲି

ଅତିକ୍ ଅହମ୍ମଦଙ୍କ ପରିବାର ବିରୋଧରେ ଇଡି ଆକ୍ସନ୍, ୧୦ଟି ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍, ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସମନ

ନୂଆଦିଲ୍ଲୀ: ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ପରେ ବର୍ତ୍ତମାନ ତାଙ୍କ ପରିବାର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଆକ୍ସନ୍ ଆରମ୍ଭ ହୋଇଛି । ଅତିକ୍ ଅହମ୍ମଦ ଅମାପ ବେଆଇନ ସମ୍ପତ୍ତି ବିଷୟରେ ଇଡି ସୂଚନା ପାଇଛି | ଗୁରୁଗାଓଁରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଅତିକ୍ ଅହମ୍ମଦଙ୍କ ସମ୍ପତ୍ତି ଉପରେ ନଜର ରଖିଛି ଇଡି। ଏଥିମଧ୍ୟରୁ ଅତିକଙ୍କ ପତ୍ନୀ ଶାଇସ୍ତାଙ୍କ ସହ ଜଡିତ ୬ଟି କମ୍ପାନୀ ମଧ୍ୟ ରହିଛି | ଏନେଇ ଇଡି ଖୁବ୍ ଶୀଘ୍ର ଅତିକଙ୍କ ଦୁଇଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ପାଇଁ ସମନ କରିଛି । ଅତିକ୍ ଗ୍ୟାଙ୍ଗ ସହ ଜଡିତ ଲୋକଙ୍କ ବିବରଣୀ ଦେବାକୁ ମଧ୍ୟ ଇଡି ୟୁପି ପୋଲିସକୁ କହିଛି।

ଅତିକ୍ ଅହମ୍ମଦଙ୍କ ପରିବାର ବ୍ୟତୀତ ଇଡି ତାଙ୍କ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖିଛି। ସୂଚନା ଅନୁଯାୟୀ, ଇଡି ଏପରି ୫୦ଟି ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସୂଚନା ପାଇଛି ଯାହା ମାଧ୍ୟମରେ ମନି ଲଣ୍ଡରିଂ କରାଯାଉଥିଲା। ଇଡି ଏହି ୧୦ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି | ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡିକ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ପ୍ରୟାଗରାଜରେ ଅତିକଙ୍କ ପତ୍ନୀ ଶାଇସ୍ତାଙ୍କ ରହିଛି ପ୍ରଚୁର ବେଆଇନ ସମ୍ପତ୍ତି | ଏହାଛଡ଼ା ଗ୍ରେଟର ନୋଏଡା, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମଧ୍ୟ ତାଙ୍କର ସମ୍ପତ୍ତି ଥିବା ସୂଚନା ମିଳିଛି। ଅତିକ୍ ଅହମ୍ମଦ ୨୦୧୯ରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଅତିକ୍ ନିର୍ବାଚନୀ ସତ୍ୟପାଠରେ ସେ କେବଳ ୨୫ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ବୋଲି ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ସରକାରୀ ତଥ୍ୟ ଅନୁଯାୟୀ ଅତିକଙ୍କ ଏଯାବତ୍ ୧୧୬୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବୁଲଡୋଜର ଲଗାଇ ଧ୍ବଂସ କରାଯାଇଛି ଅବା ପ୍ରଶାସନ ଜବତ କରିଛି।

Exit mobile version