Site icon ଆଜିକାଲି

ରେଳବାଇ ଦୁର୍ନୀତି ମାମଲା: ଲାଲୁଙ୍କ ପରିବାର ସଦସ୍ୟ, ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ : ରେଳବାଇରେ ଚାକିରି ବଦଳରେ ଜମି ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ଲୋକ ଓ ଘନିଷ୍ଠ ସହଯୋଗୀଙ୍କ ଦିଲ୍ଲୀ, ମୁମ୍ବାଇ, ନୋଏଡା ଏବଂ ପାଟନା ସ୍ଥିତ ୧୫ଟି ସ୍ଥାନରେ ଚଢ଼ାଉ କରିଛି ।

ସୂଚନା ଯେ, ଲାଲୁ ଯାଦବଙ୍କ ତିନି ଝିଅ ହେମା, ରାଗିଣୀ ଏବଂ ଚନ୍ଦାଙ୍କ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ରେଡ୍ ହୋଇଛି । ଏହାଛଡ଼ା ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ବାସଭବନରେ ମଧ୍ୟ ଇଡି ଟିମ୍ ପହଞ୍ଚିଛି।

ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଛାନଭିନ୍ ପାଇଁ ଶୁକ୍ରବାର ସକାଳ ୬ଟାରେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ତଥା ଆରଜେଡି ନେତା ଆବୁ ଦୁଜାନାଙ୍କ ପାଟନା ସ୍ଥିତ ଘରେ ୧୨ ଜଣିଆ ଇଡି ଟିମ୍ ପହଞ୍ଚିଥିଲେ। ଏହି ଚଢ଼ାଉ ସମୟରେ ଆବୁ ଦୁଜାନା ଘରର ବାଲକୋନୀକୁ ଆସି କହିଥିଲେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ଏହି ସମୟରେ ଅଧିକାରୀମାନେ ସମସ୍ତ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଅଧିକାରୀମାନେ କିଛି କହିବାକୁ ମନା କରିଥିଲେ। ଦୁଜାନା ଜଣେ ପୂର୍ବତନ ଆରଜେଡି ବିଧାୟକ। ସେ ଗତ ନିର୍ବାଚନରେ ହାରି ଯାଇଥିଲେ ।

ଚାକିରି ବଦଳରେ ଜମି ମାମଲାରେ ଫେବୃଆରୀ ୨୭ରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଚାର୍ଜସିଟ୍ ଆଧାରରେ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀ, ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ସମସ୍ତଙ୍କୁ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତିନି ଦିନ ତଳେ ଏହି ମାମଲାରେ ସିବିଆଇ ମଧ୍ୟ ରାବଡୀ ଦେବୀ ଓ ଲାଲୁଙ୍କୁ ଜେରା କରିଥିଲା ।

ଲାଲୁ ଯାଦବ ୨୦୦୪-୨୦୦୯ ଯାଏଁ ୟୁଏପିଏ ଶାସନ ଅମଳରେ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଲାଞ୍ଚ ଭାବେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଜମି ନେଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟଙ୍କ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଚୂଡ଼ାନ୍ତ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା।

ଗତବର୍ଷ ଅକ୍ଟୋବରରେ ରେଳବାଇ ଚାକିରି ଦୁର୍ନୀତି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା।

Exit mobile version