Site icon ଆଜିକାଲି

ରାସନ ଦୁର୍ନୀତି ମାମଲା : ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ ଇଡିର ଚଢ଼ାଉ

କୋଲକାତା : ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ତଥା ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ କୋଲକାତାସ୍ଥିତ ବାସଭବନରେ ଇଡି ଗୁରୁବାର ଚଢ଼ାଉ କରିଛି। ପଶ୍ଚିମବଙ୍ଗ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ କରିଆସୁଛି। ରାସନ ଦୁର୍ନୀତି ଯେବେ ହୋଇଥିଲା, ସେହି ସମୟରେ ଜ୍ୟୋତିପ୍ରିୟ ମଲିକ ରାଜ୍ୟର ଖାଦ୍ୟ ମନ୍ତ୍ରୀ ଥିଲେ।

ଇଡି ସୂତ୍ରରୁ ଜଣାପଡ଼ିଛି, ରାସନ ଦୁର୍ନୀତି ମାମଲାରେ ବକିବୁର ରେହମାନଙ୍କୁ ଗିରଫ କରାଯିବା ପରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିଲା। ଇଡି ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ସଲ୍ଟ ଲେକ୍‌ର ବିସି ବ୍ଲକରେ ଥିବା ମନ୍ତ୍ରୀଙ୍କ ଦୁଇଟି ଘରେ ପହଞ୍ଚିଥିଲା।

ଇଡି ମନ୍ତ୍ରୀଙ୍କ ଘର ବ୍ୟତୀତ ନାଗରବଜାରରେ ଥିବା ତାଙ୍କ ଆସିଷ୍ଟାଣ୍ଟ୍‌ ଅମିତଙ୍କ ଫ୍ଲାଟରେ ମଧ୍ୟ ପହଞ୍ଚିଥିଲା ଏବଂ ଯାଞ୍ଚ ଆରମ୍ଭ କରିଥିଲା। ଅଧିକାରୀମାନେ ଗୁରୁବାର ସକାଳେ ମୋଟ ୮ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରିଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଏବଂ ବ୍ୟବସାୟୀ ବକିବୁରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ଇଡି ଯାଞ୍ଚ କରୁଛି।

କହି ରଖୁଛୁ, ରାସନ ଦୁର୍ନୀତି ମାମଲାରେ ଇଡି ଗତ ବୁଧବାର କୋଲକାତାସ୍ଥିତ ବକିବୁରଙ୍କ କାଇଖାଲି ଫ୍ଲାଟରେ ଚଢ଼ାଉ କରିଥିଲା। ଏଠାରେ ଇଡି ୫୩ ଘଣ୍ଟା ଧରି ଖୋଜାଖୋଜି କରିଥିଲା। ବକିବୁରଙ୍କୁ ୧୧ ଘଣ୍ଟା ଧରି ପଚରାଉଚରା ପରେ ଶନିବାର ସକାଳେ ଇଡି ତାଙ୍କୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାକିବୁରଙ୍କ ବିଭିନ୍ନ କମ୍ପାନୀରେ ୫୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି।

Exit mobile version