Site icon ଆଜିକାଲି

ବିଜେପି ବିରୋଧରେ ବୟାନ ନେଇ ଆତିଶୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାକୁ ତାଙ୍କ ସହ ଦଳ ଯୋଗାଯୋଗ କରିଥିଲା ବୋଲି ସେ ଯେଉଁ ଦାବି କରିଥିଲେ, ତାହାକୁ ପ୍ରମାଣ ସହ ସାବ୍ୟସ୍ତ କରିବାକୁ ଆତିଶୀଙ୍କୁ କହିଛନ୍ତି କମିଶନ ।

ଆତିଶୀ ଦୁଇ ଦିନ ତଳେ ଦାବି କରିଥିଲେ ଯେ ଜଣେ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଦଳରେ ମିଶିବା ପାଇଁ ବିଜେପି ତାଙ୍କ ସହ ଯୋଗାଯୋଗ କରିଥିଲା। ଆତିଶୀଙ୍କ ବୟାନ ବିରୋଧରେ ଦିଲ୍ଲୀ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।

ନିର୍ବାଚନ କମିଶନଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି ଯେ ‘… ଆପଣ (ଆତିଶୀ) ଜାତୀୟ ରାଜଧାନୀ କେନ୍ଦ୍ର ଦିଲ୍ଲୀର ଜଣେ ମନ୍ତ୍ରୀ ଏବଂ ଏକ ଜାତୀୟ ଦଳର ନେତ୍ରୀ। ନେତାମାନେ ସର୍ବସାଧାରଣ ମଞ୍ଚରେ ଯାହା କୁହନ୍ତି ତାହାକୁ ମତଦାତା ବିଶ୍ୱାସ କରନ୍ତି । ସେମାନଙ୍କ ବୟାନ ନିର୍ବାଚନ ଉପରେ ପ୍ରଭାବ ପକାଇଥାଏ |

ନିର୍ବାଚନ କମିଶନ କହିଛନ୍ତିି, ଆପ୍ ନେତ୍ରୀଙ୍କ ବୟାନର ‘ତଥ୍ୟାତ୍ମକ ଆଧାର’ ରହିବା ଉଚିତ୍ । ଯେହେତୁ ଏହି ବୟାନର ସତ୍ୟାସତ୍ୟ ନେଇ ବିବାଦ ସୃଷ୍ଟି ହୋଇଛି, ତେଣୁ ସେ ଏହାକୁ ପ୍ରମାଣ ଆଧାରରେ ସାବ୍ୟସ୍ତ କରିବା ଆବଶ୍ୟକ।

ଆତିଶୀଙ୍କୁ ସୋମବାର ଅପରାହ୍ନ ସୁଦ୍ଧା ଜବାବ ଦେବାକୁ କହିଛନ୍ତିି କମିଶନ।

Exit mobile version