Site icon ଆଜିକାଲି

ନିର୍ବାଚନୀ ବଣ୍ଡ୍ ମାମଲା : ଏସବିଆଇ ବିରୋଧରେ ସୁପ୍ରିମକୋର୍ଟରେ ଅବମାନନା ପିଟିସନ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଅଧିକ ସମୟ ଦେବାକୁ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆବେଦନ ବିରୋଧରେ ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)’ ନାମକ ସଂସ୍ଥା ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିସନ ଦାୟର କରିଛି । ଏହାର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଛି। ଏଡିଆର ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଛନ୍ତି। ଏସବିଆଇର ଆବେଦନ ସହିତ ଅବମାନନା ପିଟିସନ ତାଲିକାଭୁକ୍ତ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତିି ପ୍ରଶାନ୍ତ ଭୂଷଣ । ପ୍ରଧାନ ବିଚାରପତି ଏନେଇ ରାଜି ହୋଇଛନ୍ତି । ମାର୍ଚ୍ଚ ୧୧ରେ ଏହି ମାମଲାର ଶୁଣାଣି ହେବା ସମ୍ଭାବନା ରହିଛି।

ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳ ଗୁଡ଼ିକୁ କେତେ ଚାନ୍ଦା ମିଳିଛି ଓ କେଉଁମାନେ ଚାନ୍ଦା ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏସବିଆଇ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରି ଜୁନ୍ ୩୦ ପର୍ଯ୍ୟନ୍ତଦ ସମୟ ମାଗିଛି । ଏହି ତାରିଖ ସୁଦ୍ଧା ଦେଶରେ ଲୋକସଭା ନିର୍ବାଚନ ଶେଷ ହୋଇଯାଇଥିବ।

ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ଏହାକୁ ରଦ୍ଦ କରିଥିଲେ । ଏହା ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ତଥା ସୂଚନା ଅଧିକାରର ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେଦ କହିଥିଲେ ।

ଏଥିସହ ସୁପ୍ରିମକୋର୍ଟ ୧୨ ଏପ୍ରିଲ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୩୧ ସୁଦ୍ଧା ଏହି ସୂଚନା ନିଜ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ କୋର୍ଟ।

ଏସବିଆଇ କିନ୍ତୁ ନିଜ ଆବେଦନରେ ଯୁକ୍ତି କରିଛି ଯେ ଏହି ପ୍ରକ୍ରିୟା ସମୟ ସାପେକ୍ଷ । ତେଣୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଛି ଷ୍ଟେଟ୍ ବ୍ୟାଙ୍କ । ଷ୍ଟେଟ୍ ବ୍ୟାଙ୍କର ଏପରି ଆବେଦନ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତିି ବିରୋଧୀ । ବିଜେପି ସରକାର ନିର୍ବାଚନୀ ବଣ୍ଡ୍ ଜରିଆରେ ନିଜ ସନ୍ଦେହଜନକ କାରବାରକୁ ଲୁଚାଇବା ପାଇଁ ଏସବିଆଇକୁ ଢାଲ ଭାବେ ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତିି । ଏକ ବ୍ୟାଙ୍କ ୟୁନିୟନ ମଧ୍ୟ ଏସବିଆଇ ଆବେଦନକୁ ବିରୋଧ କରିଛି ।

Exit mobile version