Site icon ଆଜିକାଲି

ମଣିପୁର ଘଟଣାରେ ସମଗ୍ର ଦେଶ ଲଜ୍ଜିତ, ଦୋଷୀଙ୍କୁ ଛଡ଼ା ଯିବନି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରର ଭାଇରାଲ ଭିଡ଼ିଓ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ମୁହଁ ଖୋଲିଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୁରୁବାର ସଂସଦରେ ପହଞ୍ଚି ସେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମଣିପୁରରେ ଘଟଣାରେ ମୁଁ ସ୍ତବ୍ଧ। ଏହି ଘଟଣାରେ ସମଗ୍ର ମାନବ ସମାଜ ପାଇଁ ଲଜ୍ଜାଜନକ | ୧୪୦ କୋଟି ଦେଶବାସୀ ଏହି ଘଟଣାରେ ଲଜ୍ଜିତ ଅନୁଭବ କରୁଛନ୍ତି। ମା ଓ ଭଉଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି।

ରାଜସ୍ଥାନ, ଛତିଶଗଡ, ମଣିପୁର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଘଟଣା ଯେ କୌଣସି ରାଜ୍ୟର ହେଉ ଅବା ସରକାର ଯାହାର ଥାଉ ନା କାହିଁକି ମହିଳାଙ୍କ ସମ୍ମାନ ପାଇଁ ରାଜନୀତିଠାରୁ ଊର୍ଦ୍ଧ୍ବରେ ଉଠି କାମ କରନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି କାହାକୁ ବି ଛଡ଼ାଯିବ ନାହିଁ। ମଣିପୁରର ଝିଅମାନଙ୍କ ସହିତ ଯାହା ଘଟିଛି ତାହା କେବେ କ୍ଷମଣୀୟ ନୁହେଁ |

ପ୍ରାୟ ତିନି ମାସ ଧରି ଜାତିଗତ ହିଂସା ଯୋଗୁଁ ମଣିପୁର ଜଳୁଛି । ବୁଧବାର ରାତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ପୁଣି ଥରେ ମଣିପୁର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ଭିଡିଓରେ ପୁରୁଷଙ୍କ ଭିଡ଼ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଥିଲେ ବିରୋଧୀ । ଏହି ମାମଲାରେ ପ୍ରଧାନମନ୍ତ୍ରୀ ଜବାବ ରଖନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ମଣିପୁର ପୋଲିସ ସୂଚନା ଅନୁସାରେ ଭାଇରାଲ ଭିଡ଼ିଓ ଘଟଣାରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ଘଟଣାର ଅଭିଯୁକ୍ତ ତଦନ୍ତ ଚାଲିଛି ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ।

ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲା।

Exit mobile version