Site icon ଆଜିକାଲି

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରା ଠାରେ ମଙ୍ଗଳବାର (ମେ ୧୬) ରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏକ ବେଆଇନ ବାଣ କାରଖାନାରେ ଘଟିଥିବା ପୋଲିସ କହିଛି ।

ପୋଲିସ କହିବା ଅନୁଯାୟୀ ଯେଉଁ ଘରେ ବାଣ ବିସ୍ଫୋରଣ ହୋଇଛି ସେଠାରେ ବେଆଇନ ବାଣ ତିଆରି ଅଭିଯୋଗରେ ପୋଲିସ ଗତ ମାସରେ ଚଢ଼ାଉ କରି ଏହାର ମାଲିକଙ୍କୁ ଗିରଫ କରିଥିଲା । ହେଲେ ପୁଣି ଏହି କାରଖାନା ଚାଲୁ ରହିଥିଲା ।

ବିଜେପି ଏହି ଘଟଣାର ଏନ୍ଆଇଏ ତଦନ୍ତ ଦାବି କରିଛି । ବିଜେପି ଅଭିଯୋଗ କରିଛି ଯେ ଯେଉଁଠି ବିସ୍ଫୋରଣ ଘଟିଛି ସେଇଠି ବାଣ ପ୍ରସ୍ତୁତ ହେଉନଥିଲା ବରଂ ବୋମା ତିଆରି ହେଉଥିଲା । ରାଜ୍ୟରେ ଏପରି ବହୁ ବୋମା ପ୍ରସ୍ତୁତକାରୀ କାରଖାନା ଗୁଡ଼ିକର ଅଲ୍ କାଏଦା ଭଳି ଆତଙ୍କୀ ସଂଗଠନ ସହିତ ଲିଙ୍କ ରହିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଣ କାରଖାନା ବିସ୍ଫୋରଣ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଓଡିଶା ସୀମା ନିକଟରେ ଏଗ୍ରାଠାରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ ହୋଇଥିଲା। ସେ ଜାମିନରେ ମୁକୁଳି ପୁଣି ବେଆଇନ ବାଣ ବ୍ୟବସାୟ ଆରମ୍ଭ କରିଥିଲେ। ଘଟଣା ପରେ ମାଲିକ ଓଡ଼ିଶାକୁ ପଳାୟନ କରିଛନ୍ତି। ଏହାର ତଦନ୍ତ ପାଇଁ ସିଆଇଡିକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକମାନଙ୍କ ପରିବାର ପାଇଁ ଅଢ଼େଇ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା । ସେ କହିଛନ୍ତି ଯେ ଏହି ଘଟଣା ଆଇନ ଶୃଙ୍ଖଳା ସହ ଜଡିତ ନୁହେଁ, ଏହା ଏକ ବେଆଇନ ବାଣ କାରଖାନା । ବିଜେପି ଦାବି କରୁଥିବା ଏନ୍ଆଇଏ ତଦନ୍ତ ପାଇଁ ମଧ୍ୟ ସେ ପ୍ରସ୍ତୁତ ବୋଲି ମମତା କହିଛନ୍ତି ।

Exit mobile version