Site icon ଆଜିକାଲି

ଆଜି ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିବେ କୃଷକ

ନୂଆଦିଲ୍ଲୀ: ଆଜି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନର ଦ୍ୱିତୀୟ ଦିନ। ଗତକାଲି ଶମ୍ଭୁ ସୀମାରେ ପୋଲିସ ସହ ସଂଘର୍ଷ ପରେ କୃଷକମାନେ ଦିଲ୍ଲୀ ଯାତ୍ରାକୁ ସ୍ଥଗିତ ରଖିଥିଲେ। ବିକ୍ଷୋଭକାରୀ କୃଷକମାନେ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଗତକାଲି ପଞ୍ଜାବ-ହରିୟାଣ ଶମ୍ଭୁ ସୀମାରେ କୃଷକ ଓ ହରିୟାଣା ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀଙ୍କ ସହ ପୋଲିସର ସଂଘର୍ଷରେ ଉଭୟ ପକ୍ଷର ଅନେକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ପୋଲିସ ଡିଏସପି ମଧ୍ୟ ଅଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ନେଇ କୃଷକମାନେ ଆଇନ ଆଣିବାକୁ ଦାବି କରୁଛନ୍ତି ।

ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଗୁ ସୀମା, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କଣ୍ଟା ତାର ଏବଂ ସିମେଣ୍ଟ ବ୍ୟାରିକେଡ୍ ଦ୍ୱାରା ସୀମା ସିଲ୍ ‌ହୋଇଛି । କୃଷକମାନେ ସେମାନଙ୍କ ଦାବି ପୂରଣ ନେଇ ଅଟଳ ରହିଛନ୍ତି। ସେମାନେ କହିଛନ୍ତି ଯେ ସରକାର ସେମାନଙ୍କ ଦାବି ପ୍ରତି ଗମ୍ଭୀର ନୁହଁନ୍ତି। ଏଭଳି ପରିସ୍ଥିତିରେ କୃଷକମାନେ ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଆଜି ପୁଣି ଦିଲ୍ଲୀ ଯିବାକୁ ଚେଷ୍ଟା କରିବେ।

Exit mobile version