Site icon ଆଜିକାଲି

କେଓ୍ବାଇସି ଅସମ୍ପୂର୍ଣ୍ଣ ଥିଲେ ଜାନୁଆରୀ ୩୧ ପରେ ନିଷ୍କ୍ରିୟ ହୋଇଯିବ ଫାଷ୍ଟାଗ୍

ନୂଆଦିଲ୍ଲୀ: ଆକାଉଣ୍ଟରେ ଅର୍ଥରାଶି ଥିଲେ ମଧ୍ୟ ଯଦି କେଓ୍ବାଇସି ଅସମ୍ପୂର୍ଣ୍ଣ ଥିବ, ତେବେ ଜାନୁୟାରୀ ୩୧ ପରେ ସମ୍ପୃକ୍ତ ଫାଷ୍ଟାଗ୍ ନିଷ୍କ୍ରିୟ ହୋଇଯିବ‌ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) କହିଛି। ଏକାଧିକ ଯାନ ପାଇଁ ଗୋଟିଏ ଫାଷ୍ଟାଗ୍ ର ବ୍ୟବହାର କିମ୍ବା ସେହି ନିର୍ଦ୍ଦିଷ୍ଟ ଯାନ ସହ ଏକାଧିକ ଫାଷ୍ଟାଗ୍ ଲିଙ୍କ୍ ରୋକିବାକୁ ଏନ୍ଏଚ୍ଏଆଇ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ଆରମ୍ଭ କରିଛି |

ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍ଏଚ୍ଏଆଇ ଏକ ବିବୃତ୍ତିରେ କହିଛି, ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁଯାୟୀ ଫାଷ୍ଟାଗ୍ ବ୍ୟବହାର କରୁଥିବା ଡ୍ରାଇଭର ମାନଙ୍କୁ ସେମାନଙ୍କ ଫାଷ୍ଟାଗର କେଓ୍ବାଇସି ପ୍ରକ୍ରିୟା ଜାନୁଆରୀ ୩୧ ପୂର୍ବରୁ ଶେଷ କରିବାକୁ ପ୍ରୋତ୍ସାହିତ କରାଯାଉଛି । କୌଣସି ସମସ୍ୟା ଏଡାଇବା ପାଇଁ ଗ୍ରାହକଙ୍କୁ ସେମାନଙ୍କ ନୂଆ ଫାଷ୍ଟାଗର କେଓ୍ବାଇସି ସମ୍ପୂର୍ଣ୍ଣ କରିବା ଜରୁରି । ଏହା ସହ ଗ୍ରାହକ ମାନଙ୍କୁ ମଧ୍ୟ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ପାଳନ କରିବାକୁ କୁହାଯାଇଛି । ସେମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପୂର୍ବରୁ ଜାରି ସମସ୍ତ ଫାଷ୍ଟାଗ୍ ହଟାଇବାକୁ ପଡ଼ିବ ।

ଏନ୍ଏଚ୍ଏଆଇ କହିଛି, “କେବଳ ନୂଆ ଫାଷ୍ଟାଗ୍ ଆକାଉଣ୍ଟ ସକ୍ରିୟ ରହିବ, କାରଣ ପୂର୍ବ ଫାଷ୍ଟାଗ୍ ଗୁଡିକ ଜାନୁଆରୀ ୩୧ ପରେ ନିଷ୍କ୍ରିୟ କିମ୍ବା ବ୍ଲାକଲିଷ୍ଟ ହୋଇଯିବ। ଏ ସମ୍ପର୍କରେ କୌଣସି ସହାୟତା କିମ୍ବା ସୂଚନା ପାଇଁ ଫାଷ୍ଟାଗ୍ ବ୍ୟବହାରକାରୀମାନେ ସେମାନଙ୍କ ନିକଟତମ ଟୋଲ୍ ପ୍ଲାଜା କିମ୍ବା ସଂପୃକ୍ତ ବ୍ୟାଙ୍କ‌ ଗୁଡିକର ଟୋଲ୍ ଫ୍ରି ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରିପାରିବେ | ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟାଗ୍ ଦିଆଯାଉଥିବା ଏବଂ ଆରବିଆଇ ଆଦେଶର ଉଲ୍ଲଂଘନ କରି କେଓ୍ବାଇସି ବିନା ଫାଷ୍ଟାଗ୍ ଜାରି କରାଯିବା ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି |

Exit mobile version