Site icon ଆଜିକାଲି

ଅଯୋଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୭ ମୃତ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଫୈଜାବାଦ ପଟୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଆମ୍ବେଦକର ନଗରକୁ ଯିବା ପାଇଁ ଲକ୍ଷ୍ନୌ-ଗୋରଖପୁର ରାଜପଥରେ ବୁଲାଣିରୁ ଟର୍ନ ନେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଏବଂ ଟ୍ରକ୍ ଓଲଟି ପଡ଼ିଥିଲା । ଟ୍ରକ୍ ତଳେ ବସ୍ ରହିଯାଇଥିଲା। ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାରେ ଆହତମାନଙ୍କୁ ଜିଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟୁଇଟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ଅଯୋଧ୍ୟା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ ରାଜାଙ୍କ ଅନୁଯାୟୀ ଏହି ସଡ଼କ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Exit mobile version