Site icon ଆଜିକାଲି

ଭିସ୍ତାରା ବିମାନରେ ମହିଳା ଯାତ୍ରୀଙ୍କ ହଙ୍ଗାମା, ଅର୍ଦ୍ଧନଗ୍ନ ହୋଇ ବୁଲିଲେ, କ୍ରୁ ସଦସ୍ୟଙ୍କୁ ମୁଥ ମାରିଲେ

ମୁମ୍ବାଇ: ବିମାନରେ ଯାତ୍ରୀ ବିଶୃଙ୍ଖଳା ଥମିବାର ନାଁ ଧରୁନି । ଏବେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବିମାନ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ୪୫ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଜନୈକା ମହିଳା ଇଟାଲୀର ନାଗରିକ। ଇତିମଧ୍ୟରେ ମହିଳା ଜଣକ ୨୫,୦୦୦ ଟଙ୍କା ମୁଚାଲିକାରେ ଜାମିନରେ ମୁକୁଳିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଯାତ୍ରୀ ଜଣକ ଆବୁଧାବିରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଭିସ୍ତାରାର ବିମାନ (ୟୁକେ ୨୫୬) ରେ ଜଣେ କ୍ୟାବିନ କ୍ରୁ ସଦସ୍ୟଙ୍କୁ ପିଟିବା ଏବଂ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ଉପରେ ଛେପ ପକାଇଥିଲେ । ବିମାନ କ୍ରୁ ସଦସ୍ୟଙ୍କ ଅଭିଯୋଗ ପରେ ମହିଳା ଯାତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ କହିବାନୁସାରେ ମହିଳା ଯାତ୍ରୀଙ୍କ ନାମ ପାଓଲା ପେରୁଚିଓ । ସେ ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ବିମାନରେ ହଙ୍ଗାମା କରିଥିଲେ । ସେ ଇକୋନୋମି କ୍ଲାସରେ ଯାତ୍ରା ପାଇଁ ଟିକେଟ୍ କରିଥିଲେ ମଧ୍ୟ ବିଜିନେସ୍ କ୍ଲାସ୍ ସିଟରେ ବସିଥିଲେ । ଯେତେବେଳେ କ୍ରୁ ସଦସ୍ୟମାନେ ଆପତ୍ତି କରିଥିଲେ, ସେ ଜଣେ କ୍ରୁ ସଦସ୍ୟଙ୍କୁ ମୁହଁକୁ ମୁଥ ମାରିଥିଲେ । ଅନ୍ୟ ଜଣେ କ୍ରୁ ସଦସ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ମହିଳା ଜଣକ ତାଙ୍କ ଉପରେ ଛେପ ପକାଇଥିଲେ । ଏପରିକି ନିଜ ପୋଷାକ କାଢି ଅର୍ଦ୍ଧନଗ୍ନ ଅବସ୍ଥାରେ ବିମାନ ଭିତରେ ବୁଲିଥିଲେ।

ପୋଲିସ କହିଛି ଯେ ମଦ୍ୟପ ମହିଳା ଯାତ୍ରୀ ମଧ୍ୟ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏହା ପରେ ବିମାନର ଅଧିନାୟକଙ୍କ ନିର୍ଦ୍ଦେଶରେ କ୍ରୁ ସଦସ୍ୟମାନେ ମହିଳା ଯାତ୍ରୀଙ୍କୁ ଧରି ପୋଷାକ ପିନ୍ଧାଇଥିଲେ ଏବଂ ପରେ ତାଙ୍କୁ ଏକ ଆସନରେ ବାନ୍ଧି ଦେଇଥିଲେ । ବିମାନ ଅବତରଣ କରିବା ପରେ ପୋଲିସ ପେରୁସିଓଙ୍କ ପାସପୋର୍ଟ ଜବତ କରିଥିଲା ​​। ପରେ ତାଙ୍କୁ ଅନ୍ଧେରି କୋର୍ଟରେ ହାଜର କରିବା ସହ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ତେବେ ଅଭିଯୁକ୍ତ ମହିଳାଙ୍କୁ ଜାମିନ ମିଳିଥିଲା ।

Exit mobile version