Site icon ଆଜିକାଲି

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ସ୍ପେନ ଚାମ୍ପିୟନ

ମୁମ୍ବାଇ : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍‌ ରବିବାର ମୁମ୍ବାଇରେ ଶେଷ ହୋଇଛି। ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ‌ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଲମ୍ବିଆକୁ ୧-୦ ଗୋଲରେ ପରାଜିତ କରି ସ୍ପେନ କ୍ରମାନ୍ୱୟରେ ଦ୍ୱିତୀୟ ଥର ଟାଇଟଲ ଜିତିବାର ଗୌରବ ହାସଲ କରିଛି । ଲଗାତାର ଯୁବା ବିଶ୍ବକପ୍‌ ଜିତିବାରେ ମଧ୍ୟ ସ୍ପେନ୍‌ ପ୍ରଥମ ଦେଶ ହୋଇଛି। ଦୁଇ ଥର ଜିତିବାରେ ଦକ୍ଷିଣ କୋରିଆ ସହ ମଧ୍ୟ ସମକକ୍ଷ ହୋଇଛି।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିଳିଥିଲା । କିନ୍ତୁ ୮୨ ମିନିଟରେ କଲମ୍ବିଆର ଆନା ଗୁଜମାନଙ୍କ ତ୍ରୁଟି ଯୋଗୁ ଏକ ଆତ୍ମଘାତୀ ଗୋଲ ହୋଇଥିଲା । ଏହି ଗୋଲ୍‌ ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ଗୋଲ ଥିଲା । ୧-୦ ଗୋଲରେ ଆଗୁଆ ରହି ସ୍ପେନ ଶେଷ ୮ ମିନିଟରେ ବେଶ୍‌ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା । କଲମ୍ବିଆ ଆଉ ଗୋଲ ପରିଶୋଧ କରିବାର ସୁଯୋଗ ପାଇ ନଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ରେ ମଧ୍ୟ କିଛି ଚମତ୍କାର ଦେଖିବାକୁ ମିଳି ନଥିଲା । ଶେଷରେ ସ୍ପେନ ୧-୦ ଗୋଲରେ ବିଜୟୀ ହୋଇ ଟାଇଟଲ ବଜାୟ ରଖିଥିଲା । ପୂର୍ବରୁ ସ୍ପେନ ୨୦୧୮ରେ ପ୍ରଥମ ଥର ଚାମ୍ପିଅନ ହେବାର ସୁଯୋଗ ପାଇଥିଲା । ଏହାପୂର୍ବରୁ ୨୦୧୦ ଓ ୨୦୧୬ରେ ବ୍ରୋଞ୍ଜ ପଦକ ଜିତିଥିଲା । କଲମ୍ବିଆ ପ୍ରଥମ ଥର ଫାଇନାଲରେ ଖେଳି ରନ୍‌ର୍ସ ଅପ୍‌ରେ ସନ୍ତୁଷ୍ଟ ରହିଛି ।

ବିଜୟୀ ଦଳର ସାଣ୍ଡ୍ରା ଭିଲାଫାନେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ କଲମ୍ବିଆର ଲିଣ୍ଡା କାଇସେଡୋ (୪ ଗୋଲ) ଶ୍ରେଷ୍ଠ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି । ନାଇଜେରିଆକୁ ବ୍ରୋଞ୍ଜ ନାଇଜେରିଆ ୩-୩ (୩-୨) ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଜର୍ମାନୀକୁ ପରାଜିତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଖେଳର ପ୍ରଥମାର୍ଦ୍ଧରେ ନାଇଜେରିଆ ପ୍ରଥମ ଗୋଲ୍‌ ସ୍କୋର (୨୦ ମିନିଟ୍‌) କରିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ୫ଟି ଗୋଲ୍‌ ସ୍କୋର କରିଥିଲେ । ନାଇଜେରିଆ ପକ୍ଷରୁ ୪୮, ୬୩ ମିନିଟରେ ଏବଂ ଜର୍ମାନୀ ପକ୍ଷରୁ ୭୩, ୮୪ ଓ ୯୦ ମିନିଟ୍‌ ଗୋଲ୍‌ ହୋଇଥିଲା । ନାଇଜେରିଆ ୮୯ ମିନିଟ୍‌ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲା । ମାତ୍ର ୯୦ ମିନିଟରେ ଜର୍ମାନୀର ଲୋରିନ ବେଣ୍ଡର ଚମତ୍କାର ଫିଲ୍ଡ ଗୋଲ ସହ ମ୍ୟାଚ୍‌ ୩-୩ରେ ବରାବର କରିଥିଲେ । ଇନ୍‌ଜ୍ୟୁରୀ ଟାଇମରେ ଖେଳ ଗୋଲଶୂନ୍ୟ ରହିଥିଲା । ଶେଷରେ ସୁଟ୍‌ ଆଉଟ୍‌ରେ ନାଇଜେରିଆ ୩-୨ ଗୋଲରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଲାଭ କରିଥିଲା ।

ସୂଚନା ଯେ, ୨୦୧୮ରେ ଉରୁଗୁଏରେ ଅନୁଷ୍ଠିତ ନବମ ସଂସ୍କରଣରେ ମେକ୍ସିକୋକୁ ୨-୧ରେ ପରାସ୍ତ କରି ସ୍ପେନ୍‌ ପ୍ରଥମ ଥର ବିଜେତା ହୋଇଥିଲା। ପୂର୍ବରୁ ଅନୁଷ୍ଠିତ ତୃତୀୟ ସ୍ଥାନ ମୁକାବିଲାରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ନାଇଜେରିଆ ୩-୨ (୩-୩)ରେ ଜର୍ମାନିକୁ ପରାସ୍ତ କରି କାଂସ୍ୟ ପଦକ ଜିତିନେଇଥିଲା। ଓପେମି ଆଜାକା‌‌ୟେ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗତ ବୁଧବାର ମାରଗାଓଁରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ପେନାଲଟିରେ ହାରିଥିବା ନାଇଜେରିଆ ଏଥର କିନ୍ତୁ ବାଜି ମାରିନେଇଥିଲା। କ୍ବାର୍ଟରଫାଇନାଲ୍‌ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଜର୍ମାନି କିନ୍ତୁ ପଦକଶୂନ୍ୟ ହୋଇ ବିଦାୟ‌ ନେଇଗଲା। ଫାଇନାଲ୍ ପୂର୍ବରୁ ଫୁଟ୍‌ବଲ୍ ଫର୍ ସ୍କୁଲ୍‌ସ ଲାଗି ବୁଝାମଣାପତ୍ର ସ୍ବାକ୍ଷର ବେଳେ ଫିଫା ସଭାପତି ଜିଆନି ଇନଫାଣ୍ଟି‌ନୋ, ଏସୀୟ ଫୁଟ୍‌ବଲ୍ ସଂଘ ସଭାପତି ସଲମାନ ବିନ ଇବ୍ରାହିମ ଖଲିଫା, ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ ସଭାପତି କଲ୍ୟାଣ ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version