Site icon ଆଜିକାଲି

ଫିଫା ବିଶ୍ୱକପ୍‌ : କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନା, ନେଦରଲାଣ୍ଡସ୍

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଆର୍ଜେଣ୍ଟିନା ଦଶମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି | କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ମୁକାବିଲା ନେଦରଲାଣ୍ଡସ୍ ସହ ହେବ। ଏହି ମ୍ୟାଚ୍ ଡିସେମ୍ବର ୯ ରେ ଖେଳାଯିବ | ଅନ୍ୟ ଏକ ପ୍ରି-କ୍ବାର୍ଟରରେ ନେଦରଲାଣ୍ଡ୍ସ ୩-୧ରେ ଆମେରିକାକୁ ପରାସ୍ତ କରିଥିଲା ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରି-କ୍ବାର୍ଟରରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ପୁଣି ମ୍ୟାଜିକ ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନା ଅଧିନାୟକ ମେସି ତାଙ୍କର ୧୦୦୦ ତମ ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚର ୩୫ ତମ ମିନିଟରେ ମେସି ଏକ ଚମତ୍କାର ଗୋଲ୍ ସ୍କୋର କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ | ଏହା ମେସିଙ୍କ କ୍ୟାରିୟରର ୭୮୯ ତମ ଗୋଲ୍ ଥିଲା | ମ୍ୟାଚର ୫୭ ତମ ମିନିଟରେ ଜୁନିୟନ୍ ଆଲଭାରେଜଙ୍କ ଗୋଲ୍ ବଳରେ ଆର୍ଜେଣ୍ଟିନା ୨-୦ରେ ଆଗୁଆ ହୋଇଯାଇଥିଲା ।

୭୭ ତମ ମିନିଟରେ ଅଷ୍ଟ୍ରେଲିଆ ସ୍କୋର ବ୍ୟବଧାନକୁ ୧-୨ କରିଥିଲା । ଅଷ୍ଟ୍ରେଲୀୟ ଖେଳାଳି କ୍ରେଗ ଗୁଡୱିନ୍ ଏକ ସଟ୍ ମାରିଥିଲେ । ତେବେ ବଲ୍ ଆର୍ଜେଣ୍ଟିନାର ଏନଜୋ ଫର୍ଣ୍ଣାଣ୍ଡିସକୁ ବାଜି ଦେଇ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଆର୍ଜେଣ୍ଟିନାର ଏହା ଏକ ଆତ୍ମଘାତୀ ଗୋଲ୍ ଥିଲା । ଏହା ପରେ ଇଞ୍ଜୁରୀ ଟାଇମରେ ଅଷ୍ଟ୍ରେଲିଆକୁ ଏକ ସୁଯୋଗ ମିଳିଥିଲା, କିନ୍ତୁ ଆର୍ଜେଣ୍ଟିନା ଗୋଲକିପର ଆମି ମାର୍ଟିନେଜ ଏହାକୁ ଅଟକାଇ ଦଳର ବିଜୟ ନିଶ୍ଚିତ କରିଥିଲେ।

Exit mobile version