Site icon ଆଜିକାଲି

ଫିଫା ବିଶ୍ବକପ୍ : କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ଫ୍ରାନ୍ସ

ଦୋହା : ଫିଫା ବିଶ୍ବକପ୍-୨୦୨୨ର ଦ୍ଵିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ହରାଇଛି। । ଫଳରେ ଦ୍ବିତୀୟ ଦଳ ଭାବେ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥର ତଥା ମୋଟ ଚତୁର୍ଥଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସ ଆସନ୍ତା ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ । ଅନ୍ୟପକ୍ଷରେ ସେମିଫାଇନାଲର ଦୁଇ ପରାଜିତ ଦଳ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ଶନିବାର ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହେବ।

ବୁଧବାର ଅଲ୍ ବାୟଟ ଷ୍ଟାଡିୟମରେ ଦ୍ଵିତୀୟ ସେମିଫାଇନାଲ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ମରକ୍କୋ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଫ୍ରାନ୍ସ । ମ୍ୟାଚ୍‌ର ୫ମ ମିନିଟରେ ଫ୍ରାନ୍ସର ଥିଓ ହର୍ଣ୍ଣାଣ୍ଡେଜ୍ ଗୋଲ୍ ଦେଇଥିଲେ। ଚଳିତ ବିଶ୍ବକପରେ ହେର୍ନାଣ୍ଡେଜ୍ ପ୍ରଥମ ଖେଳାଳି ଭାବେ ମରକ୍କୋ ବିପକ୍ଷରେ ଗୋଲ୍ ସ୍କୋର୍ କରିଥିଲେ । ପ୍ରଥମାର୍ଦ୍ଧରେ ଏହି ଗୋଟିକ ଗୋଲ୍ ହିଁ ହୋଇଥିଲା । ଏହାପରେ ଦ୍ବିତୀୟାର୍ଦ୍ଧରେ ଅର୍ଥାତ୍ ୭୯ ମିନିଟରେ ଫ୍ରାନ୍ସ ପାଇଁ ରାଣ୍ଡାଲ କୋଲୋ ମୁଆନି ଆଉ ଏକ ଗୋଲ୍ ଦେଇଥିଲେ। ଫ୍ରାନ୍ସ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ମରକ୍କୋ ମ୍ୟାଚକୁ ଫେରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଫ୍ରାନ୍ସର ଗୋଲପୋଷ୍ଟ ଭେଦ କରିପାରିନଥିଲା । ଫଳରେ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଫିଫା ବିଶ୍ବକପର ସେମିଫାଇନାଲରେ ପହଞ୍ଚିଥିବା ମରକ୍କୋର ଟ୍ରଫି ହାତେଇବା ସ୍ବପ୍ନ ଧୂଳିସାତ୍ ହୋଇଛି।

Exit mobile version