Site icon ଆଜିକାଲି

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ : ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷଣା କଲା ହକି ଇଣ୍ଡିଆ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ । ଏଥିପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷଣା କରିଛି। ଅଧିନାୟକ ମନ୍‌ପ୍ରୀତ୍‌ ସିଂହ ଏବଂ ଭେଟେରାନ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ସାମିଲ ଥିବା ଏହି ଦଳରେ ୩ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମିତ ରୋହିଦାସ, ଦୀପ୍‌ସାନ ତିର୍କି ଓ ନିଲମ ସଞ୍ଜୀବ ଖେସ୍‌।

କଳିଙ୍ଗ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିବା ପୂର୍ବରୁ ସମ୍ଭାବ୍ୟ ତାଲିକାରେ ସାମିଲ ଥିବା ସମସ୍ତ ୩୩ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଜାତୀୟ ଶିବିର ଆୟୋଜିତ ହେବ। ସମସ୍ତ ଖେଳାଳି ଆସନ୍ତା ସୋମବାର ଦିନ ସାଇ ‌କେନ୍ଦ୍ରରେ ରିପୋର୍ଟ କରିବାକୁ କୁହାଯାଇଛି। ଶିବିରରେ ବିଶେଷକରି ଯେଉଁକ୍ଷେତ୍ରରେ ଅଧିକ ଦୁର୍ବଳତା ରହିଛି ସେଗୁଡ଼ିକୁ ସୁଧାରିବା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ମୁ୍‌ଖ୍ୟ ପ୍ରଶିକ୍ଷକ ଗ୍ରାହମ୍‌ ରିଡ୍‌ କହିଛନ୍ତି। ଯାହାକି ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌ ପୂର୍ବରୁ ସହାୟତା କରିବ ବୋଲି ସେ କହିଛନ୍ତି। ତେଣୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷ ମୁକାବିଲା ଆମପାଇଁ ଗୁରତ୍ବପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି। ଭାରତ ଏହି ଲିଗ୍‌ରେ ଅକ୍ଟୋବର ୨୮ ଓ ନଭେମ୍ବର ୪ ତାରିଖରେ ନ୍ୟୁଜିଲାଣ୍ଡଏବଂ ଅକ୍ଟୋବର ୩୦ ଓ ନଭେମ୍ବର ୬ରେ ସ୍ପେନ୍‌କୁ ଭେଟିବ। ଏହିସବୁ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳ ବେଙ୍ଗାଲୁରୁରେ ୩ ସପ୍ତାହ ପ୍ରଶିକ୍ଷଣ ଶିବିର ଶେଷକରି ଅକ୍ଟୋବର ୨୧ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ।

ସମ୍ଭାବ୍ୟ ୩୩ ଜଣିଆ ତାଲିକା :

ଗୋଲ୍‌ରକ୍ଷକ-ପିଆର୍‌ ଶ୍ରୀଜେସ୍‌, କୃଷ୍ଣ ବାହାଦୁର ପାଠକ, ପୱନ। ଡିଫେଣ୍ଡରସ୍‌-ଜର୍ମନପ୍ରୀତ୍‌ ସିଂହ, ସୁରେନ୍ଦର କୁମାର, ହର୍ମନପ୍ରୀତ୍‌ ସିଂହ, ନିଲମ ସଞ୍ଜୀବ ଖେସ୍‌, ଅମିତ ରୋହିଦାସ, ଯୁଗରାଜ ସିଂହ, ମନ୍‌ଦୀପ ମୋର୍‌, ୟାଶଦୀପ ସିୱାଚ, ଦୀପସାନ ତିର୍କି, ସଞ୍ଜୟ, ମନ୍‌ଜିତ୍‌, ସୁମିତ। ମିଡ୍‌ଫିଲ୍‌ଡରସ-ମନପ୍ରୀତ୍‌ ସିଂହ, ହାର୍ଦିକ୍‌ ସିଂହ, ବିବେକ ସାଗର ପ୍ରସାଦ, ମୋରିଆଙ୍ଗ୍‌ଥେମ୍‌ ରବିଚନ୍ଦ୍ର ସିଂହ, ସାମ୍‌‌ସେର ସିଂହ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ୍‌, ପୱନ ରାଜଭର। ଫରୱାର୍ଡସ-ଆକାଶଦୀପ ସିଂହ, ଗୁର୍‌ଜାନ୍ତ ସିଂହ, ମନିନ୍ଦର ସିଂହ, ମହମ୍ମଦ ରାହିଲ ମୌସିନ, ଏସ୍‌ କାର୍ତି, ମନ୍‌ଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲ୍‌ପ୍ରୀତ୍‌ ସିଂହ, ସୁଖଜିତ୍‌ ସିଂହ।

Exit mobile version