Site icon ଆଜିକାଲି

ଲକ୍ଷ୍ନୌର ଏକ ହୋଟେଲରେ ଅଗ୍ନିକାଣ୍ଡ, ୨ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ସକାଳେ ହଜରତଗଞ୍ଜ ଅଞ୍ଚଳରେ ଥିବା ହୋଟେଲ ଲେଭାନାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ କର୍ମଚାରୀମାନେ ଝରକା ଦେଇ ଲୋକଙ୍କୁ ଉଦ୍ଧାର କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗଙ୍ଗୱାର କହିଛନ୍ତି ଯେ ହୋଟେଲରେ ୩୦ଟି ରୁମ୍ ଅଛି । ଏଥିମଧ୍ୟରୁ ୧୮ଟି ରୁମ୍ ବୁକ୍ ହୋଇସାରିଥିଲା। ଅଗ୍ନିକାଣ୍ଡ ସମୟରେ ପ୍ରାୟ ୩୫-୪୦ ଲୋକ ହୋଟେଲରେ ଥିଲେ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆହତ ପ୍ରାୟ ଦୁଇ ଡଜନ ଲୋକଙ୍କୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଖାନା ଯାଇ ଆହତଙ୍କୁ ଭେଟି ସେମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ଏବଂ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Exit mobile version