Site icon ଆଜିକାଲି

ଆଜି ଚନ୍ଦ୍ରଯାନ-୩ ପାଇଁ ଅଗ୍ନି ପରୀକ୍ଷା : ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ ପାଇଁ ପ୍ରକ୍ରିୟା ହାତକୁ ନେବ ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ପାଇଁ ଆଜି ଅଗ୍ନି ପରୀକ୍ଷା । ଚନ୍ଦ୍ରଯାନ-୩ ଏବେ ତାର ସବୁଠୁ କଠିନ ପର୍ଯ୍ୟାୟକୁ ପ୍ରବେଶ କରିବାକୁ ଯାଉଛି । ଇସ୍ରୋ ଏହାର କକ୍ଷକୁ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହାତକୁ ନେବ ।

ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟର ବୃତାକାର କକ୍ଷକୁ ନେବା ପାଇଁ ବିଭିନ୍ନ ପ୍ରକ୍ରିୟା କରାଯାଇଛି । ଏଥିରୁ ଯୋଜନା ଅନୁସାରେ ୨ଟି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି । ତେଣୁ ଆଜି ଯେଉଁ ପ୍ରକ୍ରିୟା କରାଯିବ ତାହା ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଚନ୍ଦ୍ରଯାନ-୩ ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି ଏହାର ସଫ୍ଟ ଲ୍ୟାଣ୍ଡିଂ । ଆସନ୍ତାକାଲି ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ ।

ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

Exit mobile version