Site icon ଆଜିକାଲି

ସାମ୍ନାକୁ ଆସିଲା ରାମଲାଲାଙ୍କ ବିଗ୍ରହର ପ୍ରଥମ ଝଲକ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାବେଳେ ଅଯୋଧ୍ୟା ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଇତି ମଧ୍ୟରେ ମନ୍ଦିରରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ବିରାଜମାନ ରାମଲାଲା ବିଗ୍ରହଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି। ରଘୁନନ୍ଦନଙ୍କ ଏହି ଝଲକ ଦେଖି ବିଭୋର ହୋଇଛନ୍ତି ଭକ୍ତ । ଜାନୁଆରୀ ୨୨ର ସେହି ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ।

ଶାସ୍ତ୍ରୀୟ ରୀତିନୀତି ଅନୁସାରେ ବୁଧବାର ଦିନ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। କାରିଗରମାନଙ୍କ ପ୍ରାୟ ଚାରି ଘଣ୍ଟା ପରିଶ୍ରମ ପରେ ଏହି ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ ହୋଇଛି | ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ମହାରାଜ କହିଛନ୍ତି, ଜାନୁଆରୀ ୨୦ରେ ଗର୍ଭଗୃହରେ ରାମଲାଲାଙ୍କ ପୁରୁଣା ପ୍ରତିମା ମଧ୍ୟ ସ୍ଥାପନ କରାଯିବ। ଏହା ପ୍ରଭୁ ରାମଙ୍କର ଏକ ଚଳନ୍ତି ପ୍ରତିମା ହୋଇଥିବାରୁ ଏହାକୁ ଅଚଳ ମୂର୍ତ୍ତି ସମ୍ମୁଖରେ ରଖାଯିବ ।

ଉଲ୍ଲେଖଥାଉ କି, ରାମଲାଲାଙ୍କ ନୂଆ ବିଗ୍ରହକୁ କର୍ଣ୍ଣାଟକର ମୂର୍ତ୍ତିକାର ଅରୁଣ ଯୋଗୀରାଜ ତିଆରି କରିଛନ୍ତି। ଜାନୁଆରୀ ୧୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉତ୍ସବରେ କର୍ତ୍ତା ଭାବେ ଯୋଗଦେବେ। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କରିଛନ୍ତିି । ସେହି ଦିନ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟର ଅଧା ଦିନ (ଅପରାହ୍ନ ୨:୩୦ ଯାଏଁ) ବନ୍ଦ ରହିବ। ଲୋକମାନେ ଯେପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କରିଛନ୍ତିି ।

ପୂର୍ବରୁ ଉତ୍ତର ପ୍ରଦେଶ ସହ ଅନ୍ୟ କିଛି ରାଜ୍ୟ ଜାନୁଆରୀ ୨୨ରେ ଛୁଟି ଘୋଷଣା କରିଛନ୍ତିି | ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଯୋଗୁଁ ଉତ୍ତର ପ୍ରଦେଶରେ ସ୍କୁଲ ଓ କଲେଜ୍ ବନ୍ଦ ରହିବ | ଏହାଛଡ଼ା ସେହି ଦିନ ରାଜ୍ୟରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସହ ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ ଏବଂ ହରିୟାଣାରେ ମଧ୍ୟ ଜାନୁଆରୀ ୨୨କୁ ଛୁଟି ଘୋଷଣା କରାଯାଇଛି |

Exit mobile version