Site icon ଆଜିକାଲି

ପ୍ରଥମ ଟେଷ୍ଟ : ଇଣ୍ଡିଜ୍‌ ୧୫୦ରେ ଅଲ୍‌ଆଉଟ, ଭାରତ ୮୦/୦

ରୁସୌ : ୱେଷ୍ଟଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ବୁଧବାରଠାରୁ ଏଠାରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହୋଇଛି । ଆରମ୍ଭରୁ ୱେଷ୍ଟଇଣ୍ଡିଜ୍‌ ବିପର୍ଯ୍ୟୟ ଭୋଗିଛି। ଭାରତୀୟ ସ୍ପିନର ମୋଟ ୮ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଛନ୍ତି। ରବିଚନ୍ଦ୍ରନ୍‌ ଅଶ୍ବିନ ୫ଟି ୱିକେଟ ନେବାରୁ ଚା’ପାନ ବିରତି ପରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ୍‌ରେ ୧୫୦ରନ କରି ଅଲ୍‌ଆଉଟ ହୋଇଯାଇଛି । ତେବେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍‌ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।

ବ୍ୟାଟିଂ ସହାୟକ ନାଲିମାଟିର ପିଚ୍‌କୁ ଦେଖି ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଏହାର ଓପ୍‌ନିଂ ଯୋଡ଼ି ୧୩ ଓଭର କ୍ରିଜ୍‌ରେ ରହି ୩୧ ରନ୍‌ ଯୋଡ଼ିଥିଲେ। ଏହାପରେ ମାତ୍ର ୪୫ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଥିଲା। ୨ ରନ୍‌ କରିଥିବା ତ୍ୟାଗନାରାୟଣ ଚନ୍ଦ୍ରପଲ୍‌ଙ୍କୁ ଆଉ୍‌ଟକରି ରବିଚନ୍ଦ୍ରନ୍ ଅଶ୍ବିନ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫଳରେ ପ୍ରଥମ ଭାରତୀୟ ବୋଲର ଭାବେ ଅଶ୍ବିନ ଉଭୟ ପିତା-ପୁତ୍ର (ଶିବନାରାୟଣ ଓ ତ୍ୟାଗନାରାୟଣ ଚନ୍ଦ୍ରପଲ୍‌)ଙ୍କୁ ଆଉଟ୍‌ କରିବାର କୃତିତ୍ବ ହାସଲ କରିଥିଲେ । ପରେ ଅଧିନାୟକ କ୍ରେଗ୍ ବ୍ରାଥ୍‌ୱେଟ୍‌ ୩ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ରେମଣ୍ଡ କିଫର ୨ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ରବୀନ୍ଦ୍ର ଜାଡ଼େଜା କ୍ରମାଗତ ୨ଟି ୱିକେଟ ନେଇ ଯାଇଥିଲେ। ଉପଅଧିନାୟକ ଜର୍ମେନ୍ ବ୍ଲାକ୍‌ଉଡ୍‌ ଗୋଟିଏ ଚୌକା ସହ ୧୪ ଓ ୱିକେଟ୍‌ ରକ୍ଷକ ଜୋସୁଆ ଡା ସିଲ୍‌ଭା ୨ ରନ୍‌କରି ଜାଡ଼େଜାଙ୍କ ଶିକାର ହୋଇଥିଲେ। ୭୬ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୫ଟି ୱିକେଟ ହରାଇବା ପରେ ଟେଷ୍ଟ ପଦାର୍ପଣ କରିଥିବା ଆଲିକ୍ ଆଥାନାଜେ ଓ ଜେସନ୍ ହୋଲ୍‌ଡର ୪୧ ରନ୍‌ ଯୋଡ଼ିଥିଲେ। ପୂର୍ବତନ ଅଧିନାୟକ ହୋଲ୍‌ଡର ଗୋଟିଏ ଚୌକା ସହ ୧୮ ରନ୍‌ କରିଥିଲେ। ପରେ ଆଲ୍‌ଜାରି ଜୋସେଫ୍‌ ୪ ରନ୍‌କରି ବିଦାୟ ନେଇଥିଲେ। ଆଲିକ୍ ଆଥାନାଜେ ୯୯ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍‌କରି ୮ମ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ୍‌ ହୋଇଥିଲେ। ରାହ୍‌କିକ୍ କର୍ଣ୍ଣୱାଲ ୩ଟି ଚୌକା ସହ ୧୯ ରନ କରି ଅପରାଜିତ ଥିଲେ। ରବିଚନ୍ଦ୍ରନ୍‌ ଅଶ୍ବିନ ୫ଟି ଓ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ଦୁଇ ଯୁବ କ୍ରିକେଟର ଯଶସ୍ବୀ ଜୟସୱାଲ ଓ ଈଶାନ୍ କିଷନ୍‌ ଟେଷ୍ଟ ପଦାର୍ପଣ କରିଛନ୍ତି।

ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍‌ରେ ଯଶସ୍ବୀ ଜୟସୱାଲଙ୍କ ୪୦ ଓ ରୋହିତ ଶର୍ମାଙ୍କ ୩୦ ରନ ବଳରେ ୮୦ ରନ ସଂଗ୍ରହ କରିଛି । ଭାରତର ଦୁଇ ଓପନିଂ ବ୍ୟାଟସମ୍ୟାନ ଅପରାଜିତ ଅଛନ୍ତି ।

Exit mobile version