Site icon ଆଜିକାଲି

ନିର୍ଣ୍ଣାୟକ ମୋଡରେ ପ୍ରଥମ ଟେଷ୍ଟ : କ’ଣ ୧୦୭ ରନ୍‌କୁ ଡିଫେଣ୍ଡ୍‌ କରିପାରିବ ଟିମ୍‌ ଇଣ୍ଡିଆ? ଇତିହାସ ଉପରେ ନଜର ପକାନ୍ତୁ

ବେଙ୍ଗାଲୁରୁ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ମୋଡ଼ ନେଇଛି । ଭାରତର ଜୋରଦାର ଲଢ଼େଇ ସତ୍ତେ୍ୱ ନ୍ୟୁଜିଲାଣ୍ଡ ୩୬ବର୍ଷ ପରେ ଭାରତରେ ଟେଷ୍ଟ ବିଜୟ ପାଇଁ ପଥ ପରିଷ୍କାର କରିଛି । ରବିବାର ମ୍ୟାଚ୍‌ର ଅନ୍ତିମ ଦିବସ ରହିଥିବାବେଳେ ବର୍ଷା ଓ ବୋଲରଙ୍କ ପ୍ରଦର୍ଶନ ଉପରେ ଘରୋଇ ଦଳର ଭାଗ୍ୟ ନିର୍ଭର କରୁଛି । ଭାରତ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ହେଁ ସଂଗୃହୀତ ରନ୍‌ ବିଜୟ ପାଇଁ ଯଥେଷ୍ଟ ନୁହେଁ । ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୧୦୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସମ୍ପୂର୍ଣ୍ଣ ଗୋଟିଏ ଦିନର ଖେଳ ବାକି ରହିଛି । ତେଣୁ ବୋଲରମାନଙ୍କ ଠାରୁ କେବଳ ଅଲୌକିକ ପ୍ରଦର୍ଶନ ଆଶା କରାଯାଇପାରେ । ନଚେତ ନ୍ୟୁଜିଲାଣ୍ଡର ବିଜୟ ସ୍ୱପ୍ନ ସାକାର ହେବ ।

୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ର ଲିଡ ପାଇବାକୁ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡକୁ ଦରକାର କେବଳ ୧୦୭ ରନ। ଭାରତୀୟ ଟିମ ଆଜି ୪୬୨ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡକୁ ଅନ୍ତିମ ଦିନ ଅର୍ଥାତ ରବିବାର ପୂରା ଦିନର ଖେଳ ମଧ୍ୟରେ କେବଳ ୧୦୭ ରନର ଆବଶ୍ୟକ ରହିଛି। ଦଳ ପାଖରେ ୧୦ଟି ୱିକେଟ ମଧ୍ୟ ରହିଛି।କିନ୍ତୁ କ’ଣ ଭାରତର ୧୦୭ ରନର ଟାର୍ଗେଟକୁ ଡିଫେଣ୍ଡ କରିପାରିବ? ପୂର୍ବରୁ ଭାରତ କେବେ ଏମିତି ଚମତ୍କାର କରିପାରିଛି? ଏ ପ୍ରଶ୍ନ ଉତ୍ତର ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଭାରତ ତା’ର ଟେଷ୍ଟ ଇତିହାସ ମଧ୍ୟରେ ମାତ୍ର ଥରୁଟିଏ ୧୦୭ କିମ୍ବା ତା’ ଠାରୁ କମ ରନକୁ ଡି‍ଫେଣ୍ଡ କରିପାରିଛି। ୨୦୦୪ରେ ୱାଙ୍ଖେଡେରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏପରି ଚମତ୍କାରିତା ଦେଖିବାକୁ ମିଳିଥିଲା।ରାହୁଲ ଡ୍ରାଭିଡଙ୍କ ଭାରତୀୟ ଟିମ ୧୦୭ ରନକୁ ଡିଫେଣ୍ଡ କରିବା ବେଳେ ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆକୁ ୯୩ ରନରେ ଅଲଆଉଟ କରି ଦେଇଥିଲା। ମୁରଲୀ କାର୍ତ୍ତିକ, ଅନୀଲ କୁମ୍ବଲେ ଓ ହରଭଜନ ସିଂହଙ୍କ ସ୍ପିନ ବଲରେ ଭାରତ ବିଜୟ ହାସଲ କରିଥିଲା। ଏହାବାଦ ଭାରତ ୧୯୮୧ରେ ୧୪୩କୁ ମେଲବର୍ଣ୍ଣରେ ଡିଫେଣ୍ତ କରୁଥିବା ବେଳେ ଅଷ୍ଟ୍ରେଲିଆକୁ ୮୩ ରନରେ ଅଟକାଇ ଦେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ସର୍ବନିମ୍ନ ଡିଫେଣ୍ତିଂ ସ୍କୋର ହେଉଛି ୧୮୮। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ୧୮୮ ରନ ପିଛା କରୁଥିବା ବେଳେ ୧୨୭ରେ ଅଟକି ଯାଇ ଥିଲା। ସେହିପରି ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ଭାରତ ୨୦୧୭ରେ ୧୮୮ ରନକୁ ଡିଫେଣ୍ଡ କରୁଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିଥିଲା। ୧୮୮ ରନ ତଳକୁ ଦଳ କେବେ ହେଲେ ବେଙ୍ଗାଲୁରୁରେ ଡିଫେଣ୍ତ କରିନାହିଁ।

Exit mobile version