Site icon ଆଜିକାଲି

ପ୍ରଥମ ଟେଷ୍ଟ : ରାହୁଲଙ୍କ ଶତକ, ପ୍ରଥମ ଇନିଂସରେ ୨୪୫ରେ ଭାରତ ଅଲ୍ଆଉଟ୍

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୪୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଦଳ ପକ୍ଷରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଶତକ ହାସଲ କରିଛନ୍ତି । ସେ ଏକ ଛକା ମାରି କ୍ୟାରିୟରର ଅଷ୍ଟମ ଶତକ ପୂରଣ କରିଥିଲେ । ରାହୁଲ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ସେ ୧୩୭ ବଲରେ ୧୦୧ ରନ୍ କରିଥିଲେ। ତାଙ୍କର ଏହି ଇନିଂସରେ ରାହୁଲ ୧୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା।

ପ୍ରଥମ ଦିନରେ ରାହୁଲ ୭୦ ରନ୍ କରିଥିଲେ । ଦ୍ୱିତୀୟ ଦିନରେ ସେ ନିଜ ସ୍କୋରରେ ଆଉ ୩୧ ରନ୍ ଯୋଡିଥିଲେ।ରାହୁଲ ୧୨୧/୬ ସ୍କୋରରୁ ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ୧୨୫ ରନ୍ ଯୋଡ଼ି ଭାରତକୁ ୨୪୫ ରନରେ ପହଞ୍ଚାଇଥିଲେ।

ଦକ୍ଷିଣ ଆଫ୍ରିକା ତରଫରୁ କାଗିସୋ ରାବାଡା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଦିନରେ ସେ କୌଣସି ସଫଳତା ପାଇ ନଥିଲେ। ତାଙ୍କ ବ୍ୟତୀତ ନନ୍ଦ୍ରେ ବର୍ଗର୍ ୩ଟି ସଫଳତା ପାଇଥିଲେ | ଜେରାଲ୍ଡ କୋଏଜୀ ଏବଂ ମାର୍କୋ ୟେନସନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଦିନରେ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୦୮/୮ ରୁ ଆଗକୁ ଖେଳିଥିଲା। ରାହୁଲ ୭୦ ଏବଂ ମହମ୍ମଦ ସିରାଜ ଶୂନରୁ ନିଜ ପାଳି ଆରମ୍ଭ କରିଥିଲେ । ସିରାଜ ୫ ରନ୍ କରିବା ପରେ ଜେରାଲ୍ଡ କୋଏଜୀଙ୍କ ଶିକାର ହୋଇଥିଲେ। ସେତେବେଳେ ରାହୁଲ ୯୫ ରନ୍ କରିଥିଲେ। କୋଏଜୀଙ୍କ ବଲରେ ମିଡ୍ ଓ୍ବିକେଟ୍ ଅଞ୍ଚଳରେ ଏକ ଛକା ମାରି ଶତକ ପୂରଣ କରିଥିଲେ ରାହୁଲ । ସେ ୧୦୧ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ରାହୁଲଙ୍କୁ ନନ୍ଦ୍ରେ ବର୍ଗର ପାଭିଲିୟନକୁ ପଠାଇଥିଲେ | ଭାରତ ଦ୍ବିତୀୟ ଦିନରେ ଆଉ ୩୭ ରନ୍ ଯୋଗକରି ଆଉଟ୍ ହୋଇଥିଲା ।

ରାହୁଲଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ବିରାଟ କୋହଲି ୩୮, ଶ୍ରେୟାସ ଆୟର ୩୧, ଶାର୍ଦ୍ଦୁଲ ଠାକୁର ୨୩ ଏବଂ ଯଶସ୍ୱୀ ଜୈସୱାଲ ୧୭ ରନ କରିଥିଲେ। ଅଧିନାୟକ ରୋହିତ ଶର୍ମା ୫ ରନ୍ କରି ଆଉଟ୍ ହୋଇଥିଲେ ।

Exit mobile version