Site icon ଆଜିକାଲି

ପ୍ରଥମ ଟେଷ୍ଟ: ସ୍ପିନରଙ୍କ ପରେ ଚମକିଲେ‌ ଯଶସ୍ବୀ, ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ

ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି ପ୍ରଭାବହୀନ ସାବ୍ୟସ୍ତ ହୋଇଛି । ଇଂଲଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୨୪୬ ରନରେ ସୀମିତ ରଖିଛନ୍ତି ଭାରତୀୟ ସ୍ପିନର। ଏହାର ଜବାବରେ ଯଶସ୍ବୀ ଜୈସୱାଲଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିନେଇଛି ।

ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ଜୈସୱାଲ ୭୦ଟି ବଲରେ ୭୬ ରନ୍ କରି ଅପରାଜିତ ରହିଛନ୍ତି । ତାଙ୍କର ଏହି ଇନିଂସରେ ୯ ଚୌକା ଓ ତିନୋଟି ଛକା ସାମିଲ ରହିଛି । ତାଙ୍କ ସହିତ ଶୁଭମାନ ଗିଲ୍ ୧୪ ରନରେ ବ୍ୟାଟିଂ କରୁଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଭାରତ ଏକମାତ୍ର ୱିକେଟ୍ ହରାଇଛି । ରୋହିତ ସ୍ପିନର ଜ୍ୟାକ୍ ଲିଚଙ୍କ ବଲରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୩ଟି ଚୌକା ସହାୟତାରେ ୨୭ ବଲରେ ୨୪ ରନ୍ କରିଥିଲେ।

ପୂର୍ବରୁ ଷ୍ଟୋକ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ସଫଳ ମୁକାବିଲା କରିପାରିନଥିଲେ । ଏକ ସହାୟକ ପିଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଅକ୍ଷର ପଟେଲ ଓ ଜସପ୍ରୀତ ବୁମରା ୨-୨ ୱିକେଟ୍ ହାତେଇଥିଲେ।

ନିଜର ‘ବାଜବଲ୍’ ରଣନୀତି ଆଧାରରେ ଇଂଲଣ୍ଡ ନିକଟ ଅତୀତରେ ବେଶ୍ ସଫଳତା ହାସଲ କରିଛି । ଏହି ରଣନୀତି ଅନୁଯାୟୀ ପରିସ୍ଥିତି ଯାହା ହେଉନା କାହିଁକି ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥାଏ | ହେଲେ ଆଜି ଭାରତୀୟ ସ୍ପିନରଙ୍କ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି କାମ ଦେଇନଥିଲା । ଇଂଲଣ୍ଡର ପ୍ରଥମ ଇନିଂସ୍ ୬୪.୩ ଓଭରରେ ଶେଷ ହୋଇଥିଲା । ସେଥିମଧ୍ୟରୁ ଅଧିନାୟକ ରୋହିତ ଶର୍ମା ତିନି ସ୍ପିନରଙ୍କ ଦ୍ୱାରା ୫୨ ଓଭର ବୋଲିଂ କରିଥିଲେ । ତାଙ୍କର ଏହି ରଣନୀତି ଫଳପ୍ରଦ ହୋଇଥିଲା ।

ଇଂଲଣ୍ଡ ତରଫରୁ ଅଧିନାୟକ ବେନ୍ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ୩୭ ରନ୍ ଓ ବେନ୍ ଡକେଟ୍ ୩୫ ରନ୍ କରିଥିଲେ।

Exit mobile version