Site icon ଆଜିକାଲି

ରେକର୍ଡ କଲେ ଯଶସ୍ୱୀ ଜୈସୱାଲ, ୧୪୭ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ : ପୁଣିଥରେ ଚମକିଲେ ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ। ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିପଦରୁ ଉଦ୍ଧାର କରିବା ସହ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଯଶସ୍ୱୀ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଯାହା ଘଟି ନଥିଲା, ସେକଥା କରିବାକୁ ସକ୍ଷମ ହୋଇଛନ୍ତି।

ଯଶସ୍ୱୀ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଘରୋଇ ପରିବେଶରେ ଖେଳା ଯାଇଥିବା ଟେଷ୍ଟ କ୍ରିକେଟର ପ୍ରଥମ ୧୦ଟି ଇନିଂସରେ ୭୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଜର୍ଜ ହେଡଲୀଙ୍କ ନାଁରେ ଥିଲା। ସେ ୧୯୩୫ ମସିହାରେ ପ୍ରଥମ ୧୦ଟି ଇନିଂସରେ ୭୪୭ ରନ କରିଥିଲେ। ପାକିସ୍ତାନର ଜାଭେଦ ମିଆଁଦାଦ ୭୪୩ ରନ, ଜିମ୍ବାୱେର ଡାଭେ ହୌଟନ ୬୮୭ ରନ ଓ ୱେଷ୍ଟଇଣ୍ଡିଜର ସାର ଭିଭ ରିଚାର୍ଡସ ୬୮୦ ରନ କରିଥିଲେ। ହେଲେ ଏମାନଙ୍କୁ ଯଶସ୍ୱୀ ପଛରେ ପକାଇ ବିଶ୍ୱ ରେକର୍ଡ ସହ ୭୫୫ ରନ କରି ନେଇଛନ୍ତି।

ସୂଚନା ଯେ, ଏଯାଏ ୯ଟି ଟେଷ୍ଟରେ ୧୬ଟି ଇନିଂସ ଖେଳିଥିବା ଯଶସ୍ୱୀ ଟେଷ୍ଟ କ୍ରିକେଟରେ ୧୦୨୮ ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୨୧୪ ରନ।

Exit mobile version