Site icon ଆଜିକାଲି

ଦେଶରେ ପ୍ରଥମ ଥର କ୍ୟାନସର ନିରୋଧୀ ଆୟୁର୍ବେଦିକ ଔଷଧ ‘ଭି୨ଏସ୍୨’ର ହେବ କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସାରେ ଏବେ ଆଶାର କିରଣ ଭାବେ ଉଭା ହୋଇଛି ଆୟୁର୍ବେଦିକ ଔଷଧ ‘ଭି୨ଏସ୍୨’ । ଦେଶରେ ପ୍ରଥମ ଥର ପାଇଁ ଏକ ଆୟୁର୍ବେଦିକ ଔଷଧର କ୍ଲିନିକାଲ୍ ଟ୍ରାଏଲ କରାଯିବ। ଏହି ଟ୍ରାଏଲ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ହେବ। ଟ୍ରାଏଲ ସରିବାକୁ ପ୍ରାୟ ୯ ରୁ ୧୨ ମାସ ସମୟ ଲାଗିପାରେ | ଏଥିପାଇଁ ଜାତୀୟ ଆୟୁର୍ବେଦ ଅନୁଷ୍ଠାନ (ଏନଆଇଏ), ଟାଟା ମେମୋରିଆଲ୍ ହସ୍ପିଟାଲ୍, ଆୟୁଷ ମହାନିର୍ଦ୍ଦେଶକ, ଜମ୍ମୁ କାଶ୍ମୀର ଏବଂ ଏଆଇଏମ୍ଆଇଏଲ୍ ଫାର୍ମା ହାତ ମିଳାଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏନଆଇଏର ବିଶେଷଜ୍ଞଙ୍କ ଦ୍ବାରା ବିକଶିତ ‘ଭି୨ଏସ୍୨’ ଅନେକ ଔଷଧୀୟ ଉଦ୍ଭିଦରୁ ସଂଗୃହୀତ ହାଇଡ୍ରୋ-ଆଲକହଲିକ ଉପାଦାନରୁ ପ୍ରସ୍ତୁତ | ଏନଆଇଏର କୁଳପତି ଡକ୍ଟର ସଞ୍ଜୀବ ଶର୍ମାଙ୍କ କହିବା ଅନୁଯାୟୀ ଲାବୋରେଟୋରୀଅଆ ଟେଷ୍ଟରେ ଏହି ଔଷଧର କ୍ୟାନ୍ସର ନିରୋଧୀ ଗୁଣ ଥିବା ନିଶ୍ଚିତ ହୋଇସାରିଛି। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ କର୍କଟ କୋଷିକା ଗୁଡ଼ିକର ବୃଦ୍ଧିକୁ ପ୍ରତିରୋଧ କରିବାରେ ମଧ୍ୟ ଏହି ଆୟୁର୍ବେଦିକ ଔଷଧ ପ୍ରଭାବୀ ବୋଲି ଜଣାପଡିଛି | ବର୍ତ୍ତମାନ ‘ଇନ୍-ଭିଭୋ’ (ପଶୁମାନଙ୍କ ଉପରେ) ଏହି ଔଷଧର ପରୀକ୍ଷଣ ପାଇଁ ଏହି ଚୁକ୍ତି ହୋଇଛି। ପଶୁମାନଙ୍କ ଉପରେ ଔଷଧର ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ |

୯ ରୁ ୧୨ ମାସ ମଧ୍ୟରେ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଏହି ଔଷଧର କ୍ଲିନିକାଲ ଟେଷ୍ଟ କରାଯିବ ବୋଲି ଡ଼କ୍ଟର ଶର୍ମା କହିଛନ୍ତି। ଏହାର ଫଳାଫଳ ଆଧାରରେ ଏନଆଇଏ ଏବଂ ଜାମ୍ମୁ କାଶ୍ମୀର ଆୟୁଷ ବିଭାଗ ମଣିଷ ଉପରେ ଏହାର ପରୀକ୍ଷା କରିବେ। ପରୀକ୍ଷା ପାଇଁ ଔଷଧ ତିଆରି କରିବା ଦାୟିତ୍ବ ଏଆଇଏମ୍ଆଇଏଲ୍ ଫାର୍ମାସିଟିକାଲ୍ସକୁ ଦିଆଯାଇଛି | ଔଷଧକୁ ବଜାରରେ ଉପଲବ୍ଧ କରାଇବା ଦାୟିତ୍ବ ମଧ୍ୟ ଏହି କମ୍ପାନୀର ।

ଏଆଇଏମ୍ଆଇଏଲ୍ ଫାର୍ମାସିଟିକାଲ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସଞ୍ଚିତ ଶର୍ମା କହିଛନ୍ତି ଯେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଆୟୁର୍ବେଦ ଭାରତ ତଥା ବିଦେଶରେ କର୍କଟ ରୋଗୀଙ୍କୁ ଏକ ପ୍ରଭାବୀ ଚିକିତ୍ସା ବିକଳ୍ପ ଯୋଗାଇ ପାରିବ।

Exit mobile version