Site icon ଆଜିକାଲି

ପାର୍ଲାମେଣ୍ଟ ଇତିହାସରେ ପ୍ରଥମ, ଆଜି ଆଉ ୪୯ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ଆଜି ପୁଣି ୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ସସପେଣ୍ଡ । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି । ଏହା ସହିତ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ, ମନୀଷ ତିଓ୍ଵାରୀ, ଶଶି ଥରୁର, ମହମ୍ମଦ ଫୈସଲ, କାର୍ତ୍ତି ଚିଦାମ୍ବରମ, ଡିମ୍ପଲ ଯାଦବଙ୍କ ନାମ ରହିଛି ।

ଏହାପୂର୍ବରୁ ଗତକାଲି ୭୮ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ଏହାକୁ ମିଶାଇ ଚଳିତ ଅଧିବେଶନରେ ଏଯାଏ ୧୪୧ ଜଣ ବିରୋଧୀ ସାଂସଦ ନିଲମ୍ବିତ ହେଲେଣି । ଯାହାକି ପାର୍ଲାମେଣ୍ଟ ଇତିହାସରେ ପ୍ରଥମ । ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରୁନାହିଁ । ଏଥିପାଇଁ ଲୋକସଭାକୁ ଦିନ ୨ଟା ଯାଏ ମୁଲତବୀ କରାଯାଇଛି ।

ନିଲମ୍ବନକୁ ବିରୋଧ କରି ସାଂସଦମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଗଣତନ୍ତ୍ର ପାଇଏହା ଶୁଭଙ୍କର ନୁହେଁ । ସରକାରଙ୍କ ଏକଛତ୍ରବାଦ ଶାସନ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛି କଂଗ୍ରେସ ।

Exit mobile version