Site icon ଆଜିକାଲି

୬୦୬.୮୬ ବିଲିୟନ ଡଲାରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୮୨ ବିଲିୟନ ଡଲାର ବୃଦ୍ଧି ହୋଇଛି । ଡିସେମ୍ୱର ୮ରେ ଶେଷ ହୋଇଥିବା ସପ୍ତାହରେ ଏହା ବଢି ୬୦୬.୮୬ ବିଲିୟନ ଡଲାର ହୋଇଛି । ଭାରତୀୟ ରଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି କରିଥିବା ଡାଟାରେ ଏହି ସୂଚନା ଦେଇଛି । ଏହାର ପୂର୍ବ ସପ୍ତାହରେ ଦେଶର ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ୬.୧୦୭ ବିଲିୟନ ଡଲାର ବଢି ୬୦୦ ବିଲିୟନ ଡଲାର ସ୍ତର ପାର କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୪୫ ବିଲିୟନ ଡଲାରର ନିଜର ସର୍ବକାଳୀନ ଶୀର୍ଷ ସ୍ତର ଛୁଇଁଥିଲା । ତେବେ ବୈଶ୍ୱିକ ଅସ୍ଥିରତା ଓ ଡଲାର ତୁଳନାରେ ଟଙ୍କାକୁ ମଜଭୁତ କରିବା ପାଇଁ ଆରବିଆଇ ଦ୍ୱାରା ମୁଦ୍ରା ଭଣ୍ଡାର ବ୍ୟବହାର କରାଯାଇଥିଲା । ଡାଟା ଅନୁସାରେ, ଡିସେମ୍ୱର ୮ରେ ଶେଷ ହୋଇଥିବା ସପ୍ତାହରେ ମୁଦ୍ରା ଭଣ୍ଡାର ଏକ ପ୍ରମୁଖ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ୩.୦୮୯ ବିଲିୟନ ଡଲାର ବଢି ୫୩୬.୬୯୯ ବିଲିୟନ ଡଲାର ହୋଇଛି । ଆରବିଆଇ ଡାଟା ଅନୁସାରେ ଗତ ସପ୍ତାହରେ ଦେଶର ସୁନା ଭଣ୍ଡାରର ମୂଲ୍ୟ ୧୯.୪ କୋଟି ଡଲାର କମି ୪୭.୧୩ ବିଲିୟନ ଡଲାର ହୋଇଛି । ଏହାସହ ଆଲୋଚ୍ୟ ସପ୍ତାହରେ ଆଇଏମଏଫ ନିକଟରେ ଥିବା ଭାରତର ମୁଦ୍ରା ଭଣ୍ଡାର ୧୧ ଲକ୍ଷ ଡଲାର କମି ୪.୮୪୨ ବିଲିୟନ ଆମେରିକୀୟ ଡଲାର ହୋଇଛି ।

Exit mobile version