Site icon ଆଜିକାଲି

ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ : ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଗତ ଶୁକ୍ରବାର ମଧ୍ୟରାତିରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବ୍ୟାଙ୍ଗ୍‌କକ୍‌ରୁ ଫେରି କଲମ୍ବୋ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି ।

ଶ୍ରୀଲଙ୍କା ପୋଦୁଇନ ପେରାମୁନାରର ଅନୁରୋଧ କ୍ରମେ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗୋଟାୟାବାୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଶନିବାର ସେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କର ସୁରକ୍ଷା ପାଇଁ ସେନା ଏବଂ ପୋଲିସ କମାଣ୍ଡଙ୍କୁ ନେଇ ନୂଆ ସୁରକ୍ଷା ଡିଭିଜନ ଗଠନ କରାଯାଇଛି । ଏହାସହିତ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ଅଙ୍ଗରକ୍ଷୀ, ଏକ ଗାଡି ଏବଂ ବାସସ୍ଥାନର ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଜଣାଇଛନ୍ତି ।

ସୂଚନା ଯେ, ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଙ୍କଟ ଯୋଗୁଁ ଗୋଟାବାୟା ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ଗତ ଜୁଲାଇ ୧୩ରେ କଲମ୍ବୋ ଛାଡି ପଳାଇ ଯାଇଥିଲେ । ଦୁଇ ମାସ ପୂର୍ବେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ପ୍ରଥମେ ମାଲଦ୍ବୀପ ଯାଇଥିଲେ । ସେଠାରେ କିଛି ଦିନର ରହଣି ପରେ ପୁଣି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରେ ସେ ଜୁଲାଇ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସିଙ୍ଗାପୁର ସରକାର ତାଙ୍କ ଭିସା ଅବଧି ବୃଦ୍ଧି ନ କରିବାରୁ ସେଠାରୁ ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ନିଜର ପତ୍ନୀଙ୍କ ସହ ବ୍ୟାଙ୍ଗକକ୍‌ର ଏକ ହୋଟେଲରେ ରହୁଥିଲେ । କିନ୍ତୁ ସେ ନିଜ ପତ୍ନୀ, ବଡିଗାର୍ଡ ଓ କିଛି ସହଯୋଗୀଙ୍କ ସହ ଶ୍ରୀଲଙ୍କା ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ତାଙ୍କର ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ଗତ ମାସରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କୁ ସାକ୍ଷାତ କରି ଗୋଟାବାୟାଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେବା ସଙ୍ଗେ ସଙ୍ଗେ ସୁରକ୍ଷା ଯୋଗାଇବାକୁ ନିବେଦନ କରିଥିଲେ ।

Exit mobile version