Site icon ଆଜିକାଲି

ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ୪ ଗିରଫ

ଇମ୍ଫାଲ: ସମଗ୍ର ଦେଶକୁ ସ୍ତବ୍ଧ କରିଥିବା ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ମାଷ୍ଟର ମାଇଣ୍ଡ ସହ ଏଯାବତ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଭିଡ଼ିଓ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡ଼ିଓରେ କିଛି ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ନେବା ସହ ସେମାନଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି ‌ । ଏହି ଘଟଣା ମେ ୪ର ବୋଲି କୁହାଯାଇଛି ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିରୋଧୀଙ୍କ ଭର୍ତ୍ସନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଶେଷରେ ନୀରବତା ଭାଙ୍ଗି ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଛଡ଼ା ଯିବନି ବୋଲି କହିଥିଲେ ‌ । ସୁପ୍ରିମକୋର୍ଟ ମଧ୍ୟ ମଣିପୁର ଘଟଣାରେ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରିବା ପାଇଁ ସବୁ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଛି।

ପୋଲିସ କହିଛି ଯେ ଏହି ମାମଲାରେ ହୁରେମ ହେରାଡେଶ ସିଂଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଯିଏକି ଉକ୍ତ ଘଟଣାର ମାଷ୍ଟର ମାଇଣ୍ଡ । ଏପର୍ଯ୍ୟନ୍ତ ଗିରଫ ହୋଇଥିବା ଅନ୍ୟ ତିନି ଜଣଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ଭିଡିଓରେ ଦେଖାଯାଉଥିବା ଲୋକଙ୍କ ସହିତ ଏହି ଲୋକଙ୍କୁ ଚିହ୍ନଟ କରାଯାଉଛି |

ଏହି ମାମଲାରେ ପ୍ରଥମ ଏତଲା ମେ ୧୮ରେ କାଙ୍ଗପୋକପି ଜିଲ୍ଲାରେ ରୁଜୁ ହୋଇଥିଲା। ଏହା ପରେ ଜୁନ୍ ୨୧ରେ ମାମଲା ଥୋବାଲ ଜିଲ୍ଲାର ନାଙ୍ଗପୋକ ସେକମାଇ ଥାନାକୁ ହସ୍ତାନ୍ତର କରାଯାଇଥିଲା । କାରଣ ସେହି ଥାନା ଅନ୍ତର୍ଗତ ହିଁ ଉକ୍ତ ଘଟଣା ଘଟିଥିଲା ।

Exit mobile version