Site icon ଆଜିକାଲି

ଚତୁର୍ଥ ଟେଷ୍ଟ : ଖ୍ବାଜାଙ୍କ ପରେ ଗ୍ରୀନଙ୍କ ଶତକ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୪୮୦ ରନ୍

ଅହମ୍ମଦାବାଦ : ଉସମାନ‌ ଖ୍ବାଜା ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ମାରିଥିବା କାମେରନ୍ ଗ୍ରୀନଙ୍କ ସହ ତାଙ୍କର ୨୦୮ ରନ୍ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିଶାଳ ସ୍କୋର ଛିଡ଼ା କରିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ଓ୍ବିକେଟ୍ ହରାଇ ୪୮୦ ରନ୍ କରିଛି ।

ଏହାର ଜବାବରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ କୌଣସି ୱିକେଟ୍ ନ ହରାଇ ୧୦ ଓଭରରେ ୩୬ ରନ୍ କରିନେଇଛି। ଦିନର ଖେଳ ଶେଷ ବେଳକୁ ଶୁଭମାନ ଗିଲ ୧୮ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୭ ରନ କରି ବ୍ୟାଟିଂ କରୁଛନ୍ତି। ସମସ୍ତ ୧୦ ୱିକେଟ୍ ବାକି ରହିଥିବା ବେଳେ ଭାରତୀୟ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ଠାରୁ ଆହୁରି ୪୪୪ ରନ୍ ପଛରେ ରହିଛି। ମ୍ୟାଚରେ ଭାରତର ସମ୍ଭାବନା ଦୃଷ୍ଟିରୁ ଆସନ୍ତାକାଲି ତୃତୀୟ ଦିନ ଗୁରୁତ୍ୱପୂର୍ଣ୍ଣ ହେବ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଓପନର ଖ୍ବାଜା ୪୨୨ ବଲ୍ ଖେଳି ୨୧ଟି ଚୌକା ସହାୟତାରେ ୧୮୦ ରନ୍ ସଂଗ୍ରହ କରିଥିଲେ। ସେ ଗ୍ରୀନଙ୍କ ସହିତ ମିଶି ପଞ୍ଚମ ୱିକେଟ୍ ପାଇଁ ୨୦୮ ରନ୍ ଭାଗିଦାରୀ ଗଢିଥିଲେ । ଆଙ୍ଗୁଠି ଆଘାତ ଯୋଗୁଁ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇଥିବା ଗ୍ରୀନ୍ ୧୭୦ଟି ବଲରୁ ୧୮ଟି ଚୌକା ସହ ୧୧୪ ରନ୍ କରିଥିଲେ। ଏହା ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ । ଖ୍ବାଜା ଓ ଗ୍ରୀନ୍ ଆଉଟ୍ ହୋଇଥିଲେ ମଧ୍ୟ ଭାରତର ଦୁର୍ଦ୍ଦଶା ଶେଷ ହୋଇନଥିଲା । ନବମ ଓ୍ବିକେଟରେ ଟଡ୍ ମର୍ଫି (୪୧) ଏବଂ ନାଥନ ଲିୟନ (୩୪) ନବମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏହା ମର୍ଫିଙ୍କର ସର୍ବୋଚ୍ଚ ସ୍କୋର । ଭାରତ ପକ୍ଷରୁ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ସଫଳ ବୋଲର ଭାବେ ୯୧ ରନ୍ ଦେଇ ୬ଟି ଓ୍ବିକେଟ୍ ନେଇଥିଲେ । ଅଶ୍ବିନ ନିଜ ଟେଷ୍ଟ କ୍ୟାରିୟରରେ ୩୨ ତମ ଥର ପାଇଁ ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ତଦୁର୍ଦ୍ଧ୍ବ ୱିକେଟ୍ ନେଇଛନ୍ତି । ପେସର ମହମ୍ମଦ ସାମି ୧୩୪ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଉମେଶ ଯାଦବ ନିରାଶ କରିଥିଲେ। ସେ ୨୫ ଓଭର ବୋଲିଂ କରି ୧୦୫ ରନ୍ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ୍ ପାଇନଥିଲେ। ରବୀନ୍ଦ୍ର ଜାଡେଜା (୧/୮୯) ଓ ଅକ୍ଷର ପଟେଲ (୧/୪୭) ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତୀୟ ବୋଲରମାନେ ଦିନର ପ୍ରଥମ ସେସନରେ ୱିକେଟ୍ ନେବାରେ ବିଫଳ ହେବା ପରେ ଅଶ୍ୱିନ ଦ୍ୱିତୀୟ ସେସନରେ ୩ଟି ୱିକେଟ୍ ଓ ତୃତୀୟ ସେସନରେ ୨ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆର ଇନିଂସ୍ ଶେଷ କରିଥିଲେ।

Exit mobile version