Site icon ଆଜିକାଲି

ଚତୁର୍ଥ ଟେଷ୍ଟ: ଉସମାନ ଖ୍ବାଜାଙ୍କ ଶତକ, ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଓପନର ଉସମାନ ଖ୍ବାଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭଲ ସ୍ଥିତିରେ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୫୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଉସମାନ ଖ୍ବାଜା ୨୫୧ ବଲରୁ ୧୦୪ ରନ୍‌ରେ ଅପରାଜିତ ରହିଥିବା ବେଳେ କ୍ୟାମେରନ୍‌ ଗ୍ରୀନ୍‌ ୬୪ ବଲରୁ ୪୯ ରନ୍‌ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଶାମି ୨ଟି ୱିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି । ତୃତୀୟ ସେସନରେ ଅଷ୍ଟ୍ରେଲିଆ ଦ୍ରୁତ ଗତିରେ ସ୍କୋର କରିଥିଲା। ଦଳ ଏହି ସେସନରେ ମାତ୍ର ୨୮ ଓଭରରେ ୧୦୬ ରନ୍ ସଂଗ୍ରହ କରିଥିଲେ। ତେବେ ଏହି ସମୟରେ ଦଳ ଷ୍ଟିଭ୍ ସ୍ମିଥ୍ ଏବଂ ପିଟର ହ୍ୟାଣ୍ଡସକମ୍ବଙ୍କ ୱିକେଟ୍ ମଧ୍ୟ ହରାଇଥିଲା।ଚା’ପାନ ବିରତି ସୁଦ୍ଧା ଅଷ୍ଟ୍ରେଲିଆର ୬୨ ଓଭରରେ ୨ ଓ୍ବିକେଟ୍ ହରାଇ ୧୪୯ ରନ୍ କରିଥିଲା।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିଜ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିଲା । ଭାରତ ଏହାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଥିଲା ​​| ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମହମ୍ମଦ ଶାମି ଫେରିଥିଲେ । ଏହି ମ୍ୟାଚ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନିସ ସହ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ଏବଂ ଆନ୍ଥୋନି ଆଲବାନିସ ତାଙ୍କ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଇଥିଲେ। ଉଭୟ ନେତା କିଛି ସମୟ ପାଇଁ ଖେଳ ଉପଭୋଗ କରିବା ପରେ ଷ୍ଟାଡିୟମ ଛାଡିଥିଲେ।

Exit mobile version